୪ରେ ଲଘୁଚାପ, ୩ରୁ ରାଜ୍ୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଦୀର୍ଘ ଦିନ ଧରି ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବା ପରେ ଏବେ ପୁଣି ସକ୍ରିୟ ହେବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ, ମୌସୁମୀ ଟ୍ରଫ୍‌କୁ ଉତ୍ତରରୁ ଦକ୍ଷିଣ ଦିଗକୁ ମୁହାଁଇବାରେ ସହାୟ ହେବ। ଫଳରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହେବ। ସାମ୍ଭାବ୍ୟ ମୌସୁମୀ ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ୫ତାରିଖ ଯାଏଁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଏବେ ମୌସୁମୀ ଟ୍ରଫ୍‌ ଲାଇନ୍‌ ଗଙ୍ଗାନଗର, ପିଲାନି, ଗ୍ବାଲିଅର ଓ ମିଜୋରାମ ମଧ୍ୟ ଦେଇ ମେଘାଳୟ ଯାଏ ଲମ୍ବିଛି। ଏଥିସହ ପୂର୍ବ-ପଶ୍ଚିମ ସିଅର୍‌ ଜୋନ୍‌ ୧୫ ଡିଗ୍ରି ଉତ୍ତର ଅକ୍ଷାଂଶରେ ସମୁଦ୍ର ପତ୍ତନଠାରୁ ୩.୧ କିମିରୁ ୫.୮ କିମି ଉଚ୍ଚତାରେ ରହିଛି। ଅନ୍ୟପଟେ ଆସନ୍ତା ୪ ତାରିଖ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୩ ତାରିଖରୁ ବର୍ଷାର ପରିମାଣ ବଢ଼ିବ।

Skymet Weather

ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲା ଯେଉଁଠାରେ ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସେସବୁ ଅଞ୍ଚଳ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, କଟକ, ଅନୁଗୁଳ, ଢେଙ୍କାନାଳ, ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୪ ଏବଂ ୫ ତାରିଖ ବେଳକୁ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

୪ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ପ୍ରବଳ ବର୍ଷା ପାଇଁ ମାଲକାନଗିରି, ରାୟଗଡ଼ା, ପୁରୀ, ଗଂଜାମ, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ୫ ତାରିଖରେ ସମ୍ବଲପୁର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ଏବଂ କଟକ, ଖୋର୍ଦ୍ଧା , ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ।

sharebazarnews.com

୪ ଓ ୫ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ମାଛ ଧରିବାକୁ ନ ଯିବାକୁ ବାରଣ କରାଯାଇଛି। ସେହିପରି ୫ରେ ଓଡ଼ିଶା ଉପକୂଳରେ ମାଛ ମାରିବାକୁ ବାରଣ କରାଯାଇଛି। ୧ ଜୁନରୁ ୧ ଅଗଷ୍ଟ ମଧ୍ୟରେ ଓଡ଼ିଶାରେ ୪୭୮.୯ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ପ୍ରାୟ ୧୭% ପ୍ରତିଶତ କମ୍‌। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୧୩ ଗୋଟି ଜିଲ୍ଲା ଯଥା, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼‌ା, ଯାଜପୁର, କଟକ, ଖୋର୍ଧା, ଜଗତ୍‌ସିଂହପୁର, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ନିଅଣ୍ଟିଆ‌ ବର୍ଷା ସ୍ଥିତି ଉପୁଜିଛି। ପୁରୀ ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ପ୍ରାୟ ୫୨% ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଗଲାଣି। ଏଥିସହ ନୂଆପଡ଼ା ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ସର୍ବୋଚ୍ଚ ୧୩% ଅଧିକ ବର୍ଷା ରେକର୍ଡ କରାଯାଇଛି। ୪୦ ପ୍ରତିଶତ କିମ୍ବା ତା’ ଠାରୁ କମ୍‌ ବର୍ଷା ରେକର୍ଡ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ ଜିଲ୍ଲାରେ ୫୨%, ଖୋର୍ଧା ଜିଲ୍ଲାରେ ସ୍ୱାଭାବିକଠାରୁ ୪୮% ପ୍ରତିଶତ, କେନ୍ଦ୍ରାପଡ଼ାରେ ୪୫% ପ୍ରତିଶତ, ଯାଜପୁରରେ ୪୫% ପ୍ରତିଶତ, କଟକରେ ୪୨% ପ୍ରତିଶତ କମ୍‌ ବର୍ଷା ଏବଂ ବାଲେଶ୍ୱରରେ ୪୦% ପ୍ରତିଶତ କମ ବର୍ଷା ରେକର୍ଡ କରାଗଲାଣି।

ଗତ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତଥା ବାକି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ହାଟଡ଼ିହଠାରେ ସର୍ବାଧିକ ୧୧୪.୧ ମିମି, ଆନନ୍ଦପୁରଠାରେ ୭୪.୪ ମିମି ଓ ଭଦ୍ରକ ଜିଲ୍ଲାର ବୋନ୍ତଠାରେ ୫୨.୦ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର