୨୦ରୁ ପ୍ରବଳ ବର୍ଷା, ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଲଘୁଚାପ ଯୋଗୁଁ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସାରାରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିଯୋଗୁଁ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିପାରେ। ସେହିପରି ଭୂ-ସ୍ଖଳନ, ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ପଶ୍ଚିମବଙ୍ଗ ହୋଇ ନାଗାଲାଣ୍ଡ୍ ଆଡ଼କୁ ଗତି କରୁଛି। ଏଥିସହ ଆଉ ଏକ ଟ୍ରଫ୍ ଲାଇନ୍ ବିହାରରୁ ଆରମ୍ଭ କରି ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତାକାଲି ଅପରାହ୍‌ଣ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ୨୦ ତାରିଖ ଦିନ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରଭାବରେ ୨୦ରୁ ୨୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ।

୨୦ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବାଲେଶ୍ବର ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏନେଇ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ସେହିଦିନ ଜଗତସିଂହପୁର, ପୁରୀ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ଦେବଗଡ଼, ସମ୍ବଲପୁର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୧ ତାରିଖ ଦିନ ବର୍ଷାର ପରିମାଣ ଆହୁରି ବଢ଼ିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବରଗଡ଼, କେନ୍ଦୁଝର, ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏହି ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସେହିଦିନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୨ ତାରିଖ ଦିନ ବର୍ଷାର ପରିମାଣ କମିଯିବ। କେବଳ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ନବରଙ୍ଗପୁର ଆଦି ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ମଧ୍ୟ ‌‌ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ସମୟରେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ ଚୀନ୍‌ ସାଗରରେ ସୃଷ୍ଟି ‌ହୋଇଥିବା ବାତ୍ୟା ‘ନୌଲ୍‌’ ଆଜି ସଂଧ୍ୟାରେ ଭିଏତନାମରେ ଲ୍ୟାଣ୍ଡଫଲ୍‌ କରି ଥାଇଲ୍ୟାଣ୍ଡରେ ପହଞ୍ଚି ଯାଇଛି। ୧୯ ତାରିଖ ବେଳକୁ ଏହା ମିଆଁମାର ସୀମାରେ ପହଞ୍ଚିବ ଏବଂ ମଧ୍ୟରାତ୍ର ପରେ ୨୦ ତାରିଖ ସକାଳ ସୁଦ୍ଧା ମାଆଁମାର ଉପକୂଳ ଦେଇ ଉତ୍ତର- ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପରେ ଲଘୁଚାପର ଗତିପଥ ନେଇ ଦୁଇଟି ମତ ରହିଛି। ଏମ୍‌ଆର୍‌ଡବ୍ଲ୍ୟୁଏଫ୍‌ ମଡେଲ କହୁଛି, ଏହା ମିଆଁମାର୍‌ ଉପକୂଳର ଦୂରରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୦ ତାରିଖ ସଂଧ୍ୟା ପରେ ବାଂଲାଦେଶ ସାଗର ଦ୍ବୀପରେ ପହଞ୍ଚିବ। ତା’ପରେ ପଶ୍ଚିମବଙ୍ଗ, ଝାରଖଣ୍ଡ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ୨୪ ତାରିଖରେ ଅଧିକ ଘନୀଭୂତ ହୋଇ ରହିବ। ଉତ୍ତର ଭାରତ ବିଶେଷକରି ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବ। ଓଡ଼ିଶାରେ ୨୦ ସଂଧ୍ୟାରୁ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହେବ। ୨୨ ତାରିଖ ଯାଏ ବର୍ଷିବ। ରାଜ୍ୟର କିଛି କିଛି ସ୍ଥାନରୁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଉତ୍ତର ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ।

ସମ୍ବନ୍ଧିତ ଖବର

Comments are closed.