ରାଜ୍ୟରେ ଆଜିଠୁ ବଢ଼ିବ ବର୍ଷା

ଭୁବନେଶ୍ବର : ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପବଳୟ ଅଧିକ ଘନୀଭୂତ ହେବାରେ ଲାଗିଥିବା ବେଳେ ଆଜିଠାରୁ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢ଼ିବ। ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଧା, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କଟକ। ଏହି ସବୁ ଜିଲ୍ଲାରେ କାଲି ଗୋଟିଏ ଦିନରେ ପାଖାପାଖି ୭୦ରୁ ୨୦୦ମିମି ବର୍ଷା ହେବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହା ପ୍ରଭାବରେ ଭୂ-ସ୍ଖଳନ, କଚ୍ଚା ରାସ୍ତା ଓ ଘର ଭାଙ୍ଗିଯିବା, ଚାଷ ଜମିରେ ପାଣି ଜମି ରହିବା ଆଦି ସମସ୍ୟା ସୃଷ୍ଟି ହୋଇପାରେ। ଏଣୁ ସମସ୍ତ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Image Courtesy of Mint

ପାଣିପାଗ କେନ୍ଦ୍ର କହିଛି, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପବଳୟ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବାଙ୍ଗୋପସାଗର ଉପରେ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ଲମ୍ବିଛି। ଏହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ଲଘୁଚାପର ରୂପ ନେବ ଓ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳସ୍ଥ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ରହିବ। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠାରୁ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢ଼ିବ। ଆସନ୍ତାକାଲି ଓ ୧୧ ତାରିଖ ଦିନ ରାଜ୍ୟର କିଛି କିଛି ଅଞ୍ଚଳରୁ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏଥିସହ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯା‌ଜପୁର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ‌୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ।

ସମ୍ବନ୍ଧିତ ଖବର