ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା, ୧୦ରୁ ୧୨ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ବର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ ଓ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ‌। ଏହାର ପ୍ରଭାବରେ ୧୦ରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୧୦ ତାରିଖ ଦିନ ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ ଓ ୧୧ ତାରିଖ ଦିନ ୮ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୧୦ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜମ ଓ ପୁରୀ ଆଦି ଜିଲ୍ଲା‌ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‌ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୧୧ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ୮ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ଏ ଜିଲ୍ଲାଗୁଡ଼ିକ ନିମନ୍ତେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହ ଆସନ୍ତାକାଲି କାଳବୈଶାଖୀ ଯୋଗୁଁ ଗଞ୍ଜାମ, ପୁରୀ, ଗଜପତି ଓ ଖୋର୍ଧା ଆଦି ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି।

Dailyhunt

ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁକୁ ସକ୍ରିୟ କରିବ। ଲଘୁଚାପ ପ୍ରଭାବରୁ ରାଜ୍ୟରେ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ତେବେ ଏହାକୁ ମୌସୁମି ବର୍ଷା କୁହାଯିବ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନି। ୧୨ତାରିଖ ଦିନ ମଧ୍ୟ ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହି ଜିଲ୍ଲାଗୁଡ଼ିକ ହେଲା ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର ଓ ବରଗଡ଼। ଏହି ସମୟରେ ପବନର ବେଗ ମଧ୍ୟ ଅଧିକ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଉପକୂଳ ଜିଲ୍ଲା ଗୁଡିକ ଉପରେ ମଧ୍ୟ ଏହାର ପ୍ରଭାବ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଯଦି ବା କେହି ସମୁଦ୍ର ମଧ୍ୟକୁ ଯାଇଥାନ୍ତି ତେବେ ୯ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଦିନ ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉକପୂଳ ଓଡ଼ିଶା ସମେତ କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହୋଇପାରେ। କିନ୍ତୁ ଗଞ୍ଜାମ, ପୁରୀ, ଗଜପତି ଓ ଖୋର୍ଧା ଆଦି ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର