ଆଜି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି (ମଙ୍ଗଳବାର) ଭୋର୍‌ରୁ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଫଳରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ଆଜି ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଉପକୂଳ ସହ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପା‌ଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ପବନର ବେଗ ୪୫ରୁ ୫୫ କିମି ରହିବ। ମଝିରେ ମଝିରେ ୬୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବ। ସମୁଦ୍ର ମଧ୍ୟ ଅତ୍ୟନ୍ତ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର୍‌ ବିଶ୍ବାସ କହିଛନ୍ତି, ଗତକାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଅବପାତ ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରି ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଗଭୀର ଅବପାତରେ ପରିଣତ ହୋଇଛି। ୧୩ ତାରିଖ (ମଙ୍ଗଳବାର) ଭୋର ସମୟରେ ଏହି ଗଭୀର ଅବପାତ ଧୀରେଧୀରେ ନର୍ସାପୁର ଓ ବିଶାଖାପାଟଣା ମଧ୍ୟ ଦେଇ କାକିନଡ଼ା ପାଖାପାଖି ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହା ପ୍ରଭାବରେ ଆଜି ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର। ଏହି ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଉପକୂଳ ରାଜ୍ୟଗୁଡ଼ିକ ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିଂକାଶ ସ୍ଥାନରେ ଆସନ୍ତାକାଲି ବର୍ଷା ହେବ। ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ବର୍ଷାର ପରିମାଣ କମ୍‌ ରହିବ। କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ପାଣିପାଗ ବିଶେ‌ଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତକାଲିର ଅବପାତ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା କାକିନଡ଼ା ପାଖରେ ଗଭୀର ଅବପାତ ରୂପରେ ସ୍ଥଳଭାଗ ଅତିକ୍ରମ କରିବ। ମିଆଁମାର ନିକଟରେ ୧୫ରେ ଆଉ ଏକ ଘୂର୍ଣ୍ଣିବଳୟ ଓ ୧୭ରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ବଙ୍ଗୋପସାଗରରୁ ଆରବସାଗର ପର୍ଯ୍ୟନ୍ତ ବ୍ୟାପ୍ତି ହେବା ବେଳେ ୧୯ରେ ଉତ୍ତର ଦକ୍ଷିଣରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳରେ ବିସ୍ତୃତ ରହିବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ଉତ୍ତର ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଓଡ଼ିଶା ଆଡ଼କୁ ଆଗେଇବ। ଏହା ଅବପାତରେ ପରିଣତ ହେବାର ସମ୍ଭାବନା କମ୍‌। ୨୦ ବା ୨୧ ବେଳକୁ ଆଉ ଏକ ଲଘୁଚାପ ସେଇ ମିଆଁମାର ଉପକୂଳରେ ସୃଷ୍ଟି ହେବ। ଏହା ସମ୍ଭବତଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ବର୍ତ୍ତମାନର ଅବପାତ ପ୍ରଭାବ‌ରେ ଆସନ୍ତାକାଲି ଜଗତ୍‌ସିଂହପୁରଠାରୁ ଗଞ୍ଜାମ ପର୍ଯ୍ୟନ୍ତ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରି, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, କେନ୍ଦୁଝର ଓ ଗଜପତିରେ ମଧ୍ୟମଧରଣର ଓ ବାକି ଅଞ୍ଚଳରେ ସ୍ବଳ୍ପ ବର୍ଷା ହୋଇପାରେ। ୧୪ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ବେଳେ ୧୫ ଓ ୧୬ରେ ସ୍ବଳ୍ପ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର