ସ୍ଥଳଭାଗ ନଛୁଇଁ ଚାଲିଗଲା ବାତ୍ୟା: ଫସଲ ଉଜାଡ଼ିଦେଲା ଲଗାଣ ବର୍ଷା, କାଲିଠୁ ସ୍ୱାଭାବିକ ହେବ ପାଗ

ଭୁବନେଶ୍ବର: ସମୁଦ୍ର ଭିତରେ ବାତ୍ୟା ଜୱାଦ ଦୁର୍ବଳ ହୋଇ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା କରି ଶେଷରେ ପଶ୍ଚିମବଙ୍ଗ ଆଡକୁ ମୁହାଁଇଗଲା । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ସେହି ଭିତରେ ହିଁ ତୀବ୍ର ଅବପାତ ଓ ପରେ କେବଳ ଅବପାତ ଅର୍ଥାତ ସାଧାରଣ ଡିପ୍ରେସନରେ ପରିଣତ ହୋଇଛି । ତେବେ ଏହି ବାତ୍ୟା ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା, ଯାହାର ସଠିକ୍ ପୂର୍ବାନୁମାନ ସମ୍ଭବ ହୋଇ ପାରିନଥିଲା । ପାଣିପାଗ ବିଜ୍ଞାନୀମାନେ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ । ତେବେ ଉପକୂଳ ଇଲାକାରେ ଲଗାଣ ବର୍ଷା କାରଣରୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।

ଯେଉଁ ପୁରୀରେ ଆଜି ବାତ୍ୟାର ଭୟ ଥିଲା, ସେଠାରେ ଲୋକେ ଅପରାହ୍ଣରେ ବାହାରକୁ ବାହାରି ବାତ୍ୟା ପାଗର ମଜା ନେଇଥିଲେ । ରବିବାର ମଧ୍ୟାହ୍ନରେ ପୁରୀ ଅଞ୍ଚଳରେ ବାତ୍ୟା ଜୱାଦ ମାଡ଼ କରିବ ବୋଲି ପୂର୍ବାନୁମାନ କରାଯାଉଥିଲା । କିନ୍ତୁ ଅପରାହ୍ନରେ ପୁରୀ ସମୁଦ୍ର କୂଳର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା ଥିଲା । ଲୋକେ ସମୁଦ୍ର କୂଳର ମଜା ନେଇଥିଲେ । କାରଣ ବାତ୍ୟା ଭୟ ସମ୍ପୂର୍ଣ୍ଣ ଦୂର ହୋଇ ଯାଇଥିଲା ।

ତେବେ ସକାଳୁ ପାଗ ଏମିତି ହୋଇଥିଲା, ଯାହା ପୂର୍ବ ବାତ୍ୟାକୁ ମନେ ପକାଇ ଦେଉଥିଲା । ଓଡ଼ିଶାର ସମସ୍ତ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଥିଲା । ପବନର ବେଗ କମ ଥିଲା । ୪୫ରୁ ୫୫ କିଲୋମିଟର ବେଗରେ ପବନ ହେଉଥିବା ବେଳେ କେବେ କେବେ ୬୫ କିଲୋମିଟରର ଝଟକା ଦେଉଥିଲା । ତୀବ୍ର ଅବପାତରେ ପରିଣତ ହୋଇ ବାତ୍ୟା ଯେତିକି ଉପକୂଳର ନିକଟବର୍ତି ହେଉଥିଲା, ସେତିକି ଦୁର୍ବଳ ହେଉଥିଲା । ସମୟ ଗଡିବା ସହ ବର୍ଷା ଓ ପବନ ପରିମାଣ ବି ଧୀରେ ଧୀରେ ହ୍ରାସ ପାଇଥିଲା । ସାଢ଼େ ୨ଟା ବେଳକୁ ଡିପ୍ରେସନ ବା ଅବପାତର ରୂପ ନେଇ ଉତ୍ତର-ଉତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଥିଲା ଜୱାଦ ।

ସ୍ଥଳଭାଗ ନଛୁଇଁ ଚାଲିଗଲା ବାତ୍ୟା । ଫସଲ ଉଜାଡ଼ିଦେଲା ଲଗାଣ ବର୍ଷା । ଗତ ୨୪ ଘଣ୍ଟାରେ ପାରାଦୀପରେ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଅବପାତର ରୂପ ନେଇ ଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇଛି ଜୱାଦ । ସୋମବାର ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରୁ ୱେଲ୍ ମାର୍କ ଲୋ ପ୍ରେସର ବା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସମ୍ବନ୍ଧିତ ଖବର