ଲଗାଣ ବର୍ଷାରେ ଉଛୁଳିଲା ବଡ଼ଦାଣ୍ଡ

ଗଳିକନ୍ଦିରେ ନଈର ସୁଅ, ଭାସିଗଲା ବାଇକ୍‌, ପୁରୀ ଜିଲ୍ଲାରେ ୮୪.୪, ସହରରେ ୨୫ ମିଲିମିଟର ବର୍ଷା

ପୁରୀ : ବର୍ଷାରେ ପୁରୀ ସହର ଅବସ୍ଥା ଖରାପ। ବର୍ଷା ଓ ନାଳ ପାଣିରେ ଉବୁଟୁବୁ ହୋଇଛି ବଡ଼ଦାଣ୍ଡ। ବୁଡ଼ିଯାଇଛି ସହରତଳି ଅଞ୍ଚଳ। ଶନିବାର ପୂର୍ବାହ୍‌ଣରୁ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନିଧୁମ ଛେଚିଥିଲା। ଲଗାଣ ବର୍ଷା ଫଳରେ ସିଂହଦ୍ବାରରୁ ବଡ଼ ମେଡିକାଲ୍‌ ଜଳାର୍ଣ୍ଣବ ହୋଇଯାଇଥିଲା। ବଡ଼ଦାଣ୍ଡରେ ପାଣି ପ୍ରାୟ ୨ ଫୁଟ ପର୍ଯ୍ୟନ୍ତ ଜମି ରହିଥିଲା। ଫଳର ବଡ଼ଦାଣ୍ଡରେ ଯାତାୟାତ ଠପ୍‌ ହୋଇଇଥିଲା। ନାଳ ସଫା କରାଯାଇଥିଲେ ମଧ୍ୟ ବର୍ଷା ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରିନଥିଲା। ବର୍ଷା ଜଳ ନିଷ୍କାସନ ହେବାକୁ ବହୁ ସମୟ ଲାଗିଯାଇଥିଲା। ପୁରୀ ଜିଲ୍ଲାରେ ୮୪.୪ ମିଲିମିଟର ବର୍ଷା ହୋଇଥିବା ବ‌େଳେ କେବଳ ପୁରୀ ସହରରେ ୨୫ ମିଲିମିଟର ବର୍ଷା ହୋଇଥିଲା। ସାକ୍ଷୀଗୋପାଳରେ ସର୍ବାଧିକ ୩୨ ମିଲିମିଟର ବର୍ଷା ହୋଇଥିଲା। ସହରର ବିଭିନ୍ନ ଗଳିକନ୍ଦିରେ ବର୍ଷାର ପାଣ ନଈ ସୁଅ ଛୁଟିଥିଲା। ବହୁ ସମୟ ପର୍ଯ୍ୟନ୍ତ ବଡ଼ଦାଣ୍ଡ ଓ ବିଭିନ୍ନ ସାହି ନଦୀର ଭ୍ରମ ସୃଷ୍ଟି କରିଥିଲା।

ବଡ଼ଦାଣ୍ଡରେ ଦୁଇ ଫୁଟ୍‌ର ବର୍ଷା ପାଣି ଜମି ରହିଛି

ବଡ଼ଦାଣ୍ଡରେ ଶନିବାର ଦିନ ପାଣି ଜମିବା ସହ ନାଳ ଉପରେ ପାଣିର ସୁଅ ଚାଲିବାରୁ ଘରେ ଓ ଦୋକାନରେ ପାଣି ପଶି ଯାଇଥିଲା। ତଳିଆ ଘରଗୁଡ଼ିକରେ ପାଣି ଜମି ରହିବାରୁ ଲୋକଙ୍କୁ ପାଣି ଉଝାଳିବାକୁ ପଡ଼ିଥିଲା। ନାଳ ଉପରେ ବର୍ଷା ପାଣି ଚାଲିବାରୁ ନାଳ ଓ ବର୍ଷା ପାଣି ଏକାକାର ହୋଇଯାଇଥିଲା। ଏଣେ ରଥଯାତ୍ରା ବେଳେ ବାଲି ବସ୍ତା ଦେଇ ରାସ୍ତାରୁ ନାଳକୁ ପଡ଼ିଥିବା ବାଟକୁ ବନ୍ଦ କରାଯାଇଥିଲେ ହେଁ ଏଯାଏ ଏହାକୁ ଖାଲି କରାଯାଇ ନାହିଁ। ତେଣୁ ବର୍ଷା ଜଳ ବଡ଼ଦାଣ୍ଡରୁ ନିଷ୍କାସନ ହେବାରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି। ଜାଲିର ବ୍ୟବସ୍ଥା ନକରି ଅସ୍ଥାୟୀ ଭାବେ ବାଲି ବସ୍ତା ରଖାଯାଇଥିବାରୁ ବର୍ଷା ଜଳ ନିଷ୍କାସନ ପାଇଁ ଘଣ୍ଟାଘଣ୍ଟା ସମୟ ଲାଗିଥିଲା। ଫଳରେ ଘଣ୍ଟା ଘଣ୍ଟା ଧରି ବଡ଼ଦାଣ୍‌ହ ସହ କଳିକନ୍ଦିରେ ଯାତାୟାତ ଠପ୍‌ ହୋଇଯାଇଲା। ଲୋକେ ଏକପ୍ରକାର ଜଳବନ୍ଦୀ ହୋଇ ରହିଯାଇଥିଲେ।

ମାର୍କେଟ୍‌ ଛକରେ ବର୍ଷା ପାଣି

ବର୍ଷା ଯୋଗୁ ସାହି, ଗଳିକନ୍ଦିରେ ସ୍ଥିତି ବିଗିଡ଼ିଯାଇଥିଲା। ବାଲିସାହିରେ ଆଜି ବର୍ଷା ଜଳ ନିଷ୍କାସନ ବେଳେ ଏକ ବାଇକ୍‌ ଭାସିଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ପ୍ରବଳ ବର୍ଷାରେ ସହର ତଳି ଅଞ୍ଚଳ ବୁଡ଼ିଯିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ପୁରୀ ସହରର ଅଧିକାଂଶ ତଳି ଅଞ୍ଚଳରେ ବିଷମ ଅବସ୍ଥା ସହ ଯୁଝୁଛନ୍ତି ହଜାର ହଜାର ବାସିନ୍ଦା। ବିଶେଷକରି ୩୦ ନମ୍ବର ୱାର୍ଡର ଜଗନ୍ନାଥ ଲେନ୍‌, କମୁଟି ପାଟଣା ନିମ୍ନ ଭାଗ, ସେନାପତି ବଗିଚା, ଶୈଳଶ୍ରୀ ବିହାର, ଭାରତୀପୁର, ବାଲିଘାଟ, ପିଡବ୍ଲୁଡି ଅଫିସ୍‌ ପଛପାର୍ଶ୍ବ ଇନ୍ଦିରା ମାର୍ଗ କଲୋନି, ସିଦ୍ଧମହାବୀର ଅଞ୍ଚଳର ସାହିଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ବର୍ଷା ଛାଡ଼ିଥିଲେ ବି ନାଳ ନଥିବାରୁ ଏ ସମସ୍ତ ଅଞ୍ଚଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ପୌରାଞ୍ଚଳ ପରିସରରେ ଆସୁଥିଲେ ବି ଏ ଅଞ୍ଚଳ ପ୍ରତି ଯେମିତି ପୌରପାଳିକା ଆଖି ବୁଜି ଦେଇଛି। ପୁରୀରେ ୨୫ ମିଲିମିଟର ବର୍ଷା ହୋଇଥିଲେ ହେଁ ଏତିକିରେ ପୁରୀ ସହର ତଳି ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଭାରତୀପୁର ମୌଜାରେ ରାସ୍ତାରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବାରୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ମୁଦୁଲି ଜାଗା ଓ ତତ୍‌ସଂଲଗ୍ନ ଜନବସତି ନୀଳଚକ୍ର ଲେନ୍‌ରେ ମଧ୍ୟ ବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି। ସେହିଭଳି ବାଲିଘାଟ ସମଙ୍ଗରା ରାସ୍ତାରେ ମଧ୍ୟ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର