ବର୍ଷାରେ ବେହାଲ୍ ରାୟଗଡ଼ା : ପଥର ଖସିଲା, ଭାସିଗଲା ଅସ୍ଥାୟୀ ପୋଲ, ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

ବଂଶଧାରା ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି, ଗୋଟା ବ୍ୟାରେଜର ୨୧ ଗେଟ୍ ଖୋଲିଲା, ବଡ଼ନାଳର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ

ରାୟଗଡା/ଗୁଣପୁର : ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲାରେ ସ୍ଥିତି ବେହାଲ। ପୁଟାସିଂ ରାସ୍ତାର ରେଂଜିତାଲ୍ ନିକଟରେ ପାହାଡ଼ରୁ ପଥର ଧସିବା ସହ ଜଗନ୍ନାଥପୁର ଅସ୍ଥାୟୀ ପୋଲ ଭାସିଯିବା କାରଣରୁ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ଟପିବା ପରେ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ଭାବ୍ୟ ବନ୍ୟାକୁ ଟାଳିବା ପାଇଁ ଆନ୍ଧ୍ର ଗୋଟା ବ୍ୟାରେଜର ୨୧ଟି ଗେଟ୍ ଖୋଲା ଯାଇଛି। ସେହିପରି ବଡ଼ନାଳ ଜଳପତ୍ତନ ବୃଦ୍ଧି କାରଣରୁ ୨ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି।

ଲଘୁଚାପ ପ୍ରଭାବରେ ଗତ ୨ଦିନ ହେଲା ରାୟଗଡ଼ାରେ ପ୍ରବଳ ବର୍ଷା ଲାଗି ରହିଛି। ଗୁଣପୁରରେ ସର୍ବାଧିକ ୧୧୦ମିମି ବର୍ଷା ରେକର୍ଡ କରାଯାଇଛି। ତୁହାକୁ ତୁହା ବର୍ଷା ଯୋଗୁ ଗୁଣପୁର-ପୁଟାସିଂ ମୁଖ୍ୟରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବିରାଟ ପଥର ଧସି ପଡ଼ିବାରୁ ଗୁଣପୁର-ପୁଟାସିଂ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖସି ପଡ଼ିଥିବା ବିରାଟକାୟ ପଥରକୁ ରାସ୍ତାରୁ ହଟାଇବା ସମ୍ଭବ ନଥିବାରୁ ବିସ୍ଫୋରଣ କରି ହଟାଇବା ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଛି ପ୍ରଶାସନ। ବର୍ଷା କମୁନଥିବାରୁ ଉକ୍ତ ରାସ୍ତାରେ ଅଘଟଣ ଘଟିବା ଆଶଙ୍କାରେ ଯାତାୟାତକୁ ବନ୍ଦ ରଖାଯାଇଛି। ଘଟଣାସ୍ଥଳରେ ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନ, ପୁଟାସିଂ ଥାନା ଅଧିକାରୀ ପଦ୍ମା ମୁଥୁ, ସହକାରୀ ଯନ୍ତ୍ରୀ ‌ଦୁର୍ଯ୍ୟୋଧନ ମାଝୀ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେପଟେ ଜଗନ୍ନାଥପୁର ନିକଟରେ ଆନ୍ଧ୍ର-ଓଡ଼ିଶାକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଭାସି ଯିବା ସହ ୨ଫୁଟ୍‌ ଉଚ୍ଚ‌ରେ ପାଣି ପ୍ରବାହିତ ହେଉଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଆଜି ଅପରାହ୍ନ ୪ଟା ସୁଦ୍ଧା ଗୁଣପୁର ନିକଟରେ ବଂଶଧାରା ଜଳସ୍ତର ୮୨.୩୯ ମିଟର ରହିଛି। ବଂଶଧାରା ସତର୍କ ସଂକେତ ୮୩ ମିଟର ଏବଂ ବିପଦ ସଂକେତ ୮୪ ମିଟର ରହିଛି। ଗୁଣପୁରରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାର ଜଗନ୍ନାଥପୁର ନିକଟରେ ଥିବା ଆପ୍ରୋଚ୍ ରୋଡ୍ ଗତକାଲି ସଂଧ୍ୟାରେ ଭାସିଯିବା ଯୋଗୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗୋଠଲାପଡ଼ା, ମରୋମା ପଂଚାୟତବାସୀ ଗୁଣପୁରରୁ ବିଚ୍ଛିନ୍ନ ହୋଇଛନ୍ତି। ବଂଶଧାରା ଜଳସ୍ତର ସତର୍କ ସଂକେତ ଦେଇ ପ୍ରବାହିତ ହେଉଥିବା ବେଳେ ବଡ଼ନାଳ ବ୍ୟାରେଜର ୨ଟି ଗେଟ୍ ଖୋଲାଥିବାରୁ ସଂଧ୍ୟା ସୁଦ୍ଧା ବଂଶଧାରା ବିପଦ ସଂକେତ ନିକଟତର ହେବାର ସମ୍ଭାବନା ରହିଛି। ବଂଶଧାରାରେ ବନ୍ୟା ପରିସ୍ଥିତିକୁ ଟାଳିବା ପାଇଁ ଜିଲ୍ଲା ପ୍ରଶାସନ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରିବା ପରେ ଗୋଟା ବ୍ୟାରେଜର ୨୧ଟି ଗେଟ୍ ଖୋଲି ଜଳ ନିଷ୍କାସନ କରୁଛି ଆନ୍ଧ୍ର। ସେହିପରି ରାୟଗଡ଼ା-ବିଶାଖାପାଟଣା ରାସ୍ତାର ବବଲି-ପାର୍ବତୀପୁରମକୁ ସଂଯୋଗ କରୁଥିବା ସୀତାନଗରମ ନଦୀରେ ଜଳସ୍ତର ବୃଦ୍ଧି ପରେ ବିପଦସଂକୁଳ ଅବସ୍ଥାରେ ଥିବା ପୋଲ ଉପର ଦେଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବା ସହ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି।

ଜିଲ୍ଲା ଜରୁରିକାଳୀନ ବିଭାଗ ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ଜିଲ୍ଲାର ଗୁଣପୁର ବ୍ଲକରେ ସର୍ବାଧିକ ୧୧୦ ମିମି ବର୍ଷା ହୋଇଛି। ସେହିପରି ଚନ୍ଦ୍ରପୁର ବ୍ଲକରେ ୫୩.୨ ମିମି, ମୁନିଗୁଡ଼ା ବ୍ଲକରେ ୪୪.୬ ମିମି, ରାୟଗଡ଼ା ବ୍ଲକରେ ୫୧.୨ ମିମି, କୋଲନରାରେ ୪୧.୧ ମିମି, କଲ୍ୟାଣସିଂହପୁରରେ ୩୫.୮ ମିମି, କାଶୀପୁରରେ ୨୮.୪ ମିମି, ପଦ୍ମପୁରରେ ୭୯.୮ ମିମି, ଗୁଡାରିରେ ୮୫ ମିମି, ରାମନାଗୁଡାରେ ୩୪.୬ ମିମି, ବିଷମକଟକରେ ୩୬.୨ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର