ଉଛୁଳିଲା ସୁବର୍ଣ୍ଣରେଖା

ବାଲେଶ୍ୱରର ବାଲିଆପାଳ ଓ ଭୋଗରାଇର ୩୫ଟି ଗାଁରେ ପଶିଲା ବନ୍ୟାପାଣି, ଦୁର୍ବଳ ନଦୀବନ୍ଧ ଯୋଗୁ ଚିନ୍ତାରେ ଅନେକ ଗ୍ରାମବାସୀ

ବାଲିଆପାଳ/ଜଳେଶ୍ୱର/ଭୋଗରାଇ: ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଏ ବର୍ଷ ପ୍ରଥମ ବନ୍ୟା ଆସିଛି। ଦୁଇଦିନ ଧରି ଉପରମୁଣ୍ଡରେ ହୋଇଥିବା ବର୍ଷା ଏବଂ ଜାମସେଦପୁର ସ୍ଥିତ ଗାଲୁଡ଼ିହ ବ୍ୟାରେଜ୍‌ରୁ ବନ୍ୟାଜଳ ଛଡ଼ାଯିବା ଯୋଗୁ ତଳମୁଣ୍ଡରେ ନଦୀ କୂଳ ଲଂଘିଛି। ଏହାଫଳରେ ଆଜି ବାଲିଆପାଳ ଓ ଭୋଗରାଇ ବ୍ଲକ୍‌ର ୩୫ରୁ ଅଧିକ ଗାଁରେ ବନ୍ୟା ପାଣି ପ୍ରବେଶ କରିଛି। ସେହିପରି ବସ୍ତା ବ୍ଲକ୍‌ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧା ପାଉଥିବା ପରିଲକ୍ଷିତ ହୋଇଛି। ଗତକାଲି ଗାଲୁଡ଼ିହ ଡ୍ୟାମ୍‌ର ୫ଟି ଗେଟ୍‌ରେ ୧.୨୮ ଲକ୍ଷ କ୍ୟୁସେକ୍‌ ବନ୍ୟାପାଣି ନଦୀକୁ ଛଡ଼ାଯାଇଥିଲା। ଫଳରେ ଆଜି ଅପରାହ୍ନ ୩ଟା ସୁଦ୍ଧା ସୁବର୍ଣ୍ଣରେଖାର ଜଳପତ୍ତନ ରାଜଘାଟଠାରେ ସତର୍କ ସଂକେତ ୯.୪୫ ମିଟର ଡ଼େଇଁ ୧୦.୧୦ ମିଟରରେ ପ୍ରବାହିତ ହେଉଥିଲା। ତେବେ ରାତି ୯ଟା ସୁଦ୍ଧା ଜଳସ୍ତର ୧୦.୨୦ ମିଟରରେ ପହଞ୍ଚିଥିବା ଜଣାପଡିଛି। ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବା ଯୋଗୁ ବାଲିଆପାଳ ଓ ଭୋଗରାଇ ବ୍ଲକ୍‌ର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅନ୍ୟପକ୍ଷରେ, ବସ୍ତା ବ୍ଲକ୍‌ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର କମୁଥିଲେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ ରହିଛି। ମଥାନୀଠାରେ ନଦୀର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଆଜି ସଂଧ୍ୟା ୭ଟା ସୁଦ୍ଧା ନଦୀର ଜଳସ୍ତର ୫.୯୮ ମିଟର ରହିଛି। ତେବେ ସକାଳ ୯ଟା ବେଳେ ଜଳସ୍ତର ସର୍ବାଧିକ ୬.୧୫ ମିଟରରେ ପହଂଚିଥିବା ରେକର୍ଡ କରାଯାଇଥିବାବେଳେ ଏହା କ୍ରମଶଃ ହ୍ରାସ ପାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର