ରାଉରକେଲା: ଶେଷରେ ଜିଲ୍ଲାରେ ଆଖିଦୃଶିଆ ବର୍ଷା ହୋଇଛି। ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଶନିବାର ରାତିରେ ବର୍ଷା ହୋଇଛି। ଫଳରେ ଦୀର୍ଘ ଦିନ ଧରି ଲାଗିରହିଥିବା ସ୍ବଳ୍ପବୃଷ୍ଟିରେ ବିରାମ ଲାଗିଛି। ଏହି ବର୍ଷା ଚାଷ ପାଇଁ ବେଶ୍‌ ଅନୁକୂଳ ହୋଇଛି। ଧାନ ଚାଷ ପ୍ରାୟ ୨୦%ରେ ସୀମିତ ଥିବାବେଳେ ଆଜିର ବର୍ଷାପରେ ଏହା ବେଗ ଧରିବାର ସମ୍ଭାବନା ରହିଛି। ଏତଦ୍‌ବ୍ୟତୀତ ଏହି ବର୍ଷା ପରିବା ଚାଷକୁ ବି ବହୁମାତ୍ରାରେ ସୁହାଇବ।
Advertisment
publive-image
ଶନିବାର ରାତି ପ୍ରାୟ ୧୨ଟାରୁ ବର୍ଷା ଆରମ୍ଭ ହୋଇଥିଲା; ଯାହାକି ସକାଳ ୮ଟା ଯାଏ ବର୍ଷା ଲାଗିରହିଥିଲା। ରାଉରକେଲା ମହାନଗର ନିଗମ ଅଞ୍ଚଳ ସମେତ ସମସ୍ତ ୧୭ଟି ଜିଲ୍ଲାକୁ ମିଶାଇଲେ, ଆଜି ଚଳିତ ବର୍ଷର ସର୍ବାଧିକ; ଅର୍ଥାତ୍‌ ୯୦୭ ମିଲିମିଟର ବର୍ଷା ହୋଇଛି। ଜିଲ୍ଲାରେ ଆଜି ବର୍ଷାହାର ୫୦.୩୮ ମିଲିମିଟର ରହିଛି। ଉଲ୍ଲେଖଯୋଗ୍ୟ, ଜୁଲାଇ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସର୍ବମୋଟ୍‌ ୨୦୩୭.୬୨ ମିଲିମିଟର ବର୍ଷା ହୋଇଥିଲା। ଅର୍ଥାତ୍‌, ଗତ ୧୫ ଦିନରେ ଜିଲ୍ଲାରେ ଯେତିକି ପରିମାଣରେ ବର୍ଷା ହୋଇଥିଲା, ଆଜି କେବଳ ଗୋଟିଏ ଦିନରେ ତା’ର ୪୪.୫୧% ବର୍ଷା ହୋଇଛି। ରାଉରକେଲାରେ ଆଜି ୩୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟାନ୍ୟ ବ୍ଲକ ତୁଳନାରେ ବିଶ୍ରା, ଲହୁଣିପଡ଼ା ଓ ବଣାଇଁ ବ୍ଲକରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଲହୁଣିପଡ଼ାରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିବାବେଳେ ବିଶ୍ରାରେ ୧୧୯.୨ ମିଲିମିଟର ଓ ବଣାଇଁରେ ୧୧୮ ମିଲିମିଟର ବର୍ଷା ହୋଇଛି। ସେହିଭଳି ହେମଗିର ବ୍ଲକରେ ୨୪.୬ ମିଲିମିଟର ବର୍ଷା ହୋଇଥିବାବେଳେ ଲେଫ୍ରିପଡ଼ାରେ ୧୧.୩ ମିଲିମିଟର, ଟାଙ୍ଗରପାଲିରେ ୧୨.୪ ମିଲିମିଟର, ସୁନ୍ଦରଗଡ଼ରେ ୧୪.୪ ମିଲିମିଟର, ସବଡେଗାରେ ୧୪.୧ ମିଲିମିଟର, ବାଲିଶଙ୍କରାରେ ୧୫.୨ ମିଲିମିଟର, ବଡ଼ଗାଁରେ ୪୮.୬ ମିଲିମିଟର, କୁତ୍ରାରେ ୫୧ ମିଲିମିଟର, ରାଜଗାଙ୍ଗପୁରରେ ୮୩.୬ ମିଲିମିଟର, କୁଆରମୁଣ୍ଡାରେ ୫୦.୪ ମିଲିମିଟର, ନୂଆଗାଁରେ ୧୬.୨ ମିଲିମିଟର, ଲାଠିକଟାରେ ୮୯ ମିଲିମିଟର, ଗୁରୁଣ୍ଡିଆରେ ୫୫ ମିଲିମିଟର ଓ କୋଇଡ଼ାରେ ୩୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।