ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ମ୍ୟାଁମାର୍ ଉପକୂଳରେ ଗତକାଲି ଥିବା ଘୂର୍ଣ୍ଣିବଳୟଟି ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର କିଛି କିଛି ଜିଲ୍ଲାରେ ବର୍ଷା ହୋଇଯାଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ଅଧିକ ରହିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ଅଧିକ ବର୍ଷିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ରାଜ୍ୟର କିଛି କିଛି ଅଞ୍ଚଳରେ ପୁଣି ପ୍ରବଳ ବର୍ଷା ହେବ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଫଳରେ ଭୂ-ସ୍ଖଳନ, କଚ୍ଛା ଘର କାନ୍ଥ ଭୁଶୁଡ଼ି ପଡ଼ିବା ଭଳି ଆଶଙ୍କା ଦେଖାଯିବାର ସମ୍ଭାବନା ରହିଛି। ଖାଲି ସେତିକି ନୁହେଁ, ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଚାଷ ଜମି ଜଳମଗ୍ନ ହେବାର ସମ୍ଭାବନା ରହିଛି।
ପୁଣି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ଆଶଙ୍କା ମଧ୍ୟ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଆସନ୍ତାକାଲି ଆହୁରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଛି। ବିଶେଷକରି କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୋନପୁର, କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଆସନ୍ତାକାଲି ପରେ ରାଜ୍ୟରେ ଆସନ୍ତା ୨୭ତାରିଖ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ। ମୌସୁମୀ ସକ୍ରିୟ ରହିଥିବାରୁ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ମୌସୁମୀଜନିତ ବର୍ଷା ହେବାର ସମ୍ଭାବନା ରହିଛି।