ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟାନୟକ ବିମାନବନ୍ଦରରେ ଏକ ସ୍ପୋର୍ଟସ ବନ୍ଧୁକ ଧରାପଡ଼ିଛି। ଏହାକୁ ଡାକ ପାର୍ସଲରେ ଚାଲାଣ କରାଯାଉଥିଲା। ସିଆଇଏସଏଫ୍ ଅଧିକାରୀମାନେ ଯାଞ୍ଚ ବେଳେ ପାର୍ସଲ ଭିତରେ ବନ୍ଧୁକ ଥିବା ଜାଣିବାକୁ ପାଇଥିଲେ। ବନ୍ଧୁକଟି ସମ୍ବଲପୁରରୁ ପୋଷ୍ଟାଲ ପାର୍ସଲରେ ମୁମ୍ବାଇ ଯାଉଥିଲା। ବନ୍ଧୁକକୁ ଜବତ କରାଯିବ‌ା ପରେ ଏହାକୁ ପୁଲିସ ମାଲଖାନାରେ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉିବା ବେଳେ ଏହାର ଦୁଇଦିନ ପୂର୍ବରୁ ବନ୍ଧୁକ ଧରାପଡ଼ିଛି।

Advertisment

ପାର୍ସଲ ଯୋଗେ ଏହି ବନ୍ଧୁକଟି ସମ୍ବଲପୁରରୁ ମୁମ୍ବାଇ ଯାଉଥିଲା। ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି ଯେ ଏହି ବନ୍ଧୁକଟି ହେଉଛି ସମ୍ବଲପୁରର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର। ବନ୍ଧୁକର ଲାଇସେନ୍ସ ଅଛି। ସଂପୃକ୍ତ ବ୍ୟକ୍ତି ଏହାକୁ ମରାମତି ଲାଗି ମୁମ୍ବାଇ ପଠାଉଥିବା ପୁଲିସକୁ କହିଛନ୍ତି। ତେବେ ପୁଲିସ ସତ୍ୟାସତ୍ୟ ଜାଣିବା ଲାଗି ଛାନଭିନ୍ ଚଳାଇଛି। ଅନ୍ୟପକ୍ଷରେ ପାର୍ସଲ ଯୋଗେ ସ୍ପୋର୍ଟସ ବନ୍ଧୁକ ଯାଇପାରିବ କି ନାହିଁ, ତାକୁ ନେଇ ଅଧିକାରୀମାନେ ମଧ୍ୟ ପରାମର୍ଶ ଜାରି ରଖିଛନ୍ତି। ପୋଷ୍ଟାଲ ବିଭାଗକୁ ଖବର ଦିଆଯିବା ପରେ ଦୁଇଜଣ ଅଧିକାରୀ ଆସି ଯାଞ୍ଚରେ ସାମିଲ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଜେରା ପାଇଁ ବନ୍ଧୁକ ମାଲିକଙ୍କୁ ଖୁବ୍ ଶୀଘ୍ର ଡକାଯିବ।