ଅଜାଡିଲା ବର୍ଷା: ବ୍ରହ୍ମପୁର ବେହାଲ, ବଢୁଛି ଇନ୍ଦ୍ରାବତୀର ଜଳସ୍ତର

ବ୍ରହ୍ମପୁର/ନବରଙ୍ଗପୁର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବ୍ରହ୍ମପୁର-ଆସିକା ୫୯ ନମ୍ବର ଜାତୀୟ ରାଜପଥର ୬ଟି ସ୍ଥାନରେ ବର୍ଷା ଲୋକଙ୍କ ପାଇଁ ଦାଉ ସାଜିଛି। ଯାନବାହନ ଚଳାଚଳ ଏକ ପ୍ରକାରର ଠପ ହୋଇଯାଇଛି। ଫଳରେ ଯିବାଆସିବା ପ୍ରଭାବିତ ହୋଇଛି। ହିଞ୍ଜିଳିକାଟୁ ନିକଟ ପୋଚିଲିମା ଠାରେ ଜାତୀୟ ରାଜପଥ ଉପରେ ୩ ରୁ ୪ ଫୁଟ ଜଳ ପ୍ରବାହିତ ହୋଇଛି। ଏଥି ସହିତ ବ୍ରହ୍ମପୁର ସହରର ସ୍ଥିତି ବେହାଲ ହୋଇପଡ଼ିଛି।

ଇନ୍ଦ୍ରାବତୀ ଜଳଭଣ୍ଡାର ଜଳପତ୍ତନ କ୍ରମଶଃ ବୃଦ୍ଧି ପାଇ ଆଜି ମଧ୍ୟାହ୍ନ ୧୨ଘଟିକା ସୁଦ୍ଧା ୬୪୦.୯୬ ମିଟର ଉଚ୍ଚରେ ପହଞ୍ଚିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ହୋଇ ଥିବାରୁ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ଯେକୌଣସି ସମୟରେ ଜଳଭଣ୍ଡାର ଫାଟକ ଖୋଲିବାକୁ ଘୋଷଣା କରାଯାଇଛି।

ବ୍ରହ୍ମପୁର ସହରର ତଳିଆ ଅଞ୍ଚଳରେ ବର୍ଷା ଜଳ ଲହଡି ଭାଙ୍ଗୁଛି। ଗୋପାଳପୁର ଡପଲର ରାଡାରର ବୈଜ୍ଞାନିକ ଉମାଶଙ୍କର ସାହୁ କହିଛନ୍ତି ଯେ, ଉତ୍ତର-ପଶ୍ଚିମ ବଙ୍ଗେପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି। ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୬୮.୪ ମିଲିମିଟର (ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା) ବର୍ଷା ରେକର୍ଡ କରାଯାଇଛି। ଲଘୁଚାପ ପ୍ରଭାବରେ ଆହୁରି ୪୮ ଘଣ୍ଟା ଯାଏ ବର୍ଷା ହେବ। ଗଞ୍ଜାମ ଜିଲ୍ଲାରେ ରେଡଆଲର୍ଟ ଜାରି କରାଯାଇଛି। ସମୁଦ୍ର ଭିତରକୁ ପ୍ରବେଶ ନ କରିବା ପାଇଁ ମତ୍ସଜୀବିଙ୍କୁ ବାରଣ କରାଯାଇଛି। କାରଣ ଲଘୁଚାପ ଯୋଗୁଁ ଏବେ ସମୁଦ୍ର ଅଶାନ୍ତ ଅଛି।।

ସମ୍ବନ୍ଧିତ ଖବର