୧୮ରୁ ବଢ଼ିପାରେ ବର୍ଷା

ଭୁବନେଶ୍ବର : ଆସନ୍ତା ୧୮ତାରିଖରୁ ଓଡ଼ିଶାରେ ବଢ଼ିବ ବର୍ଷା। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ସହ ସାମାନ୍ୟ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

କେନ୍ଦ୍ର ପକ୍ଷରୁ ଆହୁରି ଆକଳନ କରାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ଖୋର୍ଧା, ପୁରୀ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି। ୧୬ ତାରିଖ ଦିନ ଉତ୍ତର-କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ୧୭ ତାରିଖରେ ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଗତ ୧୨ ଘଣ୍ଟା ଭିତରେ କେବଳ ମାଲକାନଗିରିରେ ୧.୬ ମିମି ବର୍ଷା ହୋଇଛି। ଆଉ କୌଣସି ସ୍ଥାନରେ ବର୍ଷା ହୋଇ ନଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ବଢ଼ିଛି। ବାରିପଦା ତାପମାତ୍ରା ଆଜି ୩୭ ଡିଗ୍ରିରେ ପହଞ୍ଚିଛି। ଏହାବ୍ୟତୀତ ଚାନ୍ଦବାଲିରେ ୩୬.୯, ବାଲେଶ୍ବରରେ ୩୬.୭, କଟକରେ ୩୬.୪, ଅନୁଗୁଳରେ ୩୬.୩, ଝାରସୁଗୁଡ଼ାରେ ୩୬.୨, ସମ୍ବଲପୁରରେ ୩୫.୯, ଭୁବନେଶ୍ବରରେ ୩୪.୫ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର