ଆସୁଛି ଆଉ ଏକ ଲଘୁଚାପ, ପହିଲାରୁ ବର୍ଷିବ

ଭୁବ‌ନେଶ୍ବର : ଖୁବଶୀଘ୍ର ଆସୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଅଗଷ୍ଟ ପ୍ରଥମ ସପ୍ତାହ ଯାଏ ଜାରି ରହିବ ବର୍ଷା। ବଡ଼ ନ ହେଲେ ମଧ୍ୟ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିବ। ରାଜ୍ୟରେ ସୃଷ୍ଟି ହୋଇଥିବା ନିଅଣ୍ଟିଆ ସ୍ଥିତି କିଛି ମାତ୍ରାରେ ଦୂର ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ଆକଳନ କରିଛି ଯେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅର୍ଥାତ ୩୧ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ସପ୍ତାହକ ଯାଏ ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଆଶା କରାଯାଉଛି।

୨୯ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ସମୟ ମଧ୍ୟରେ କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଧା, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୩୦ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ଏହାର ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ସେଭଳି ବର୍ଷା ନାହିଁ।

ତେବେ ୩୧ ତାରିଖ ଅପରାହ୍‌ଣରୁ ପୁଣି ପାଗ ବଦଳିବ। ଲଘୁଚାପ ଯୋଗୁଁ ପ୍ରଥମେ ଉତ୍ତର ଓଡ଼ିଶା ଓ ପରେ ଉପକୂଳ, ପଶ୍ଚିମ ଓଡ଼ିଶାରେ ଅଗଷ୍ଟ ୩ ତାରିଖ ଯାଏ ପ୍ରବଳ ବର୍ଷା ଲାଗିରହିବ ବୋଲି ଆକଳନ କରାଯାଇଛି। ଓଡ଼ିଶା ଉପକୂଳରେ ମୌସୁମୀ ଅଧିକ ସକ୍ରିୟ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ‌ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ତେବେ ବଡ଼ ବର୍ଷା ନାହିଁ। ଉତ୍ତର ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଓଡ଼ିଶା ଉପରେ ରହିବ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଅର୍ଥାତ୍‌ ୬୨.୫ ମିମିରୁ ଅଧିକ ହୋଇପାରେ। ତେବେ ଲଘୁଚାପ ଉପର ବାୟୁମଣ୍ଡଳରେ ଦକ୍ଷିଣ ଆଡ଼କୁ ଢଳି ରହିଥିବାରୁ ୨୯ରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶରେ ଅଧିକ ବର୍ଷା ହେବ। ଜୁଲାଇ ୩୦ ଓ ୩୧ରେ ଉପକୂଳ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବ। ତେବେ ଅଗଷ୍ଟ ୨ ‌ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଏହାଦ୍ବାରା ରାଜ୍ୟରେ ପୁଣି ବର୍ଷା ହେବ। ଉତ୍ତର ଉପକୂଳବର୍ତୀ ଅଞ୍ଚଳରେ ୨ରୁ ୪ ତାରିଖ ଯାଏ ବର୍ଷା ହେବାକୁ ଥିବା ବେଳେ ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ତେବେ ଏହି ଲଘୁଚାପ ମଧ୍ୟ ଅଧିକ ଘନୀଭୂତ ହେବନି। ଫଳରେ ଦକ୍ଷିଣ ଓଡ଼ିଶାରେ ସ୍ପଳ୍ପରୁ ମଧ୍ୟମଧରଣର, ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ଅଧିକ ବର୍ଷା ହୋଇପାରେ।

ପ୍ରଫେସର ପଶୁପାଳକ ଆହୁରି କହିଛନ୍ତି ଯେ ଯଦିଓ ରାଜ୍ୟରେ ବର୍ଷା ହେଉଛି କିନ୍ତୁ ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରୁ ନାହିଁ। ଜୁଲାଇ ମାସରେ ରାଜ୍ୟର ସ୍ବାଭାବିକ ବର୍ଷା ୩୪୦ ମିମି ହୋଇଥାଏ। ତେବେ ଚଳିତ ସପ୍ତାହର ବର୍ଷାକୁ ମିଶାଇଲେ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ରହିବ। ଜୁଲାଇ ଶେଷ ସପ୍ତାହରେ ସାଧାରଣତଃ ୮୦ରୁ ୮୫ ମିମି ବର୍ଷା ହୋଇଥାଏ। ଏବେ ମାସ ଶେଷ ସୁଦ୍ଧା ବର୍ଷା ହେବା ଦ୍ବାରା ସପ୍ତାହର ସ୍ବାଭାବିକ ବର୍ଷା ହେବ। କିନ୍ତୁ ମାସ ଦୃଷ୍ଟିରୁ ନିଅଣ୍ଟିଆ ବର୍ଷା ଲାଗିରହିବ।

ସମ୍ବନ୍ଧିତ ଖବର