ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଉ ନ ଥିବାରୁ ରାଜ୍ୟରେ ଭଲ ବର୍ଷା ହେଉନି। ମୌସୁମୀ ଟ୍ରପ୍‌ଲାଇନ୍ ପ୍ରଭାବରେ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେଉଛି। ହେଲେ ବଡ଼ ବର୍ଷା ହେଉନି। ଯେବେ ଲଘୁଚାପ ସୃଷ୍ଟି ହେବ ଏବଂ ସ୍ଥଳଭାଗ ଉପରେ ୨୪ଘଣ୍ଟା ରହିବ, ସେତେବେଳେ ହିଁ ଓଡ଼ିଶାରେ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ଏସବୁ ସତ୍ତ୍ବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବାରୁ ଆସନ୍ତା ୨୪ତାରିଖରୁ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବର ପୂର୍ବାନୁମାନ କରାଯାଉଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୨୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଅଛି। ୨୨ରେ ବର୍ଷାର ସମ୍ଭାବନା ନାହିଁ। ୨୩ତାରିଖ ବେଳକୁ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳରେ କାଳବୈଶାଖୀ ବର୍ଷା ହୋଇପାରେ। ହେଲେ ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ୨୪ରେ କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର, ରାୟଗଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଗଞ୍ଜାମ ଜିଲ୍ଲାରେ ବର୍ଷା ହେବ। ଏହା ପରଠାରୁ ରାଜ୍ୟର ସମସ୍ତ ସ୍ଥାନରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି କୋରାପୁଟରେ ସର୍ବାଧିକ ୧୭.୮ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୮.୬ ମିମି, ଅନୁଗୁଳରେ ୮ ମିମି, ମାଲକାନଗିରିରେ ୫.୮ ମିମି, ହୀରାକୁଦରେ ୨.୨ ମିମି, ବଲାଙ୍ଗୀରରେ ୨ମିମି ବର୍ଷା ହୋଇଛି।