୫ଦିନ ପ୍ରବଳ ବର୍ଷା, ସାରା ରାଜ୍ୟ ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଲେ ଏସ୍‌ଆର୍‌ସି

ଭୁବନେଶ୍ବର : ଆଗ‌ାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ତାରିଖରେ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ଏହିପରି ପୂର୍ବାନୁମାନ କରିବା ପରେ ବର୍ଷା ମୁକାବିଲା ପାଇଁ ସତର୍କ ରହିବାକୁ ଶୁକ୍ରବାର  ସ୍ବତନ୍ତ୍ର ରିଲିଫ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପାଣିପାଗ କେନ୍ଦ୍ରର ସୂନଚା ଅନୁଯାୟୀ, ଶୁକ୍ରବାରଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। କିଛି କିଛି ସ୍ଥାନରେ ଦିନସାରା ପାଗ ମେଘୁଆ ବି ରହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟର ଗତି ଓଡ଼ିଶା ଅଭିମୁଖେ ରହିବ। ଫଳରେ ୧୫ରୁ ୧୭ ତାରିଖ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହୁଛି। ୧୬ ଓ ୧୭ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି,
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୬ରେ ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ କୋରାପୁଟ, ରାୟଗଡ଼ା, ମାଲକାନଗିରି, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୭ରେ ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହୁଛି।

ସୂଚନାଯୋଗ୍ୟ ଯେ, ଜୁନ୍‌ ୧ରୁ ୧୪ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୫୧୩ ମିମି ବର୍ଷା ରେକର୍ଡ ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ୭୩୬.୮ମିମିଠାରୁ ୩୦% କମ୍‌। ଏ ପର୍ଯ୍ୟନ୍ତ ରାଜ୍ୟର ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଗଲାଣି। ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ଯାଜପୁରରେ ୫୪% କମ୍‌, ଭଦ୍ରକରେ ୫୧% କମ୍‌, ବଲାଙ୍ଗୀରରେ ୪୩%, ଗଜପତି ଓ ଝାରସୁଗୁଡ଼ାରେ ୪୨% ଓ କେନ୍ଦୁଝରରେ ୪୧% ଲେଖାଏଁ ଅଭାବୀ ବର୍ଷା ରେକର୍ଡ ହୋଇଛି। ଅଗଷ୍ଟ ମାସରେ ମୌସୁମୀ ବିରତି ସ୍ଥିତି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅଗଷ୍ଟର ଏହି ୧୪ ଦିନ ମଧ୍ୟରେ ରାଜ୍ୟରେ ୫୬. ୭ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୧୭୪.୫ ମିମିଠାରୁ ୬୮% କମ୍‌।

ସମ୍ବନ୍ଧିତ ଖବର