ଆରବସାଗର‌ରେ ସକ୍ରିୟ ହେଲା ମୌସୁମୀ ବାୟୁ : ୫ଦିନ ଯାଏ ଲାଗି ରହିବ ବର୍ଷା, କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ

ଭୁବନେଶ୍ବର : ସାରା ରାଜ୍ୟକୁ ମୌସୁମୀ ସ୍ପର୍ଶ କଲା ପରେ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ସହ ସ୍ଥାନେ ସ୍ଥାନେ ଭାରି ବର୍ଷା ହେବ ବୋଲି ସୂଚନା ମିଳିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ସୋମବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଟକ ଓ ଜଗତ୍‌ସିଂହପୁର ଆଦି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୬ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ‌ସୋନପୁର, ସମ୍ବଲପୁର ଓ କେନ୍ଦୁଝର ଆଦି ଜିଲ୍ଲାର କିଛି କିଛି ସ୍ଥାନ‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୭ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୮ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

MetWeather

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବ। ଏହି ସମୟରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୩୨ମିମି ବର୍ଷା ହୋଇଥିବା ବେଳେ ପାରାଦୀପ ଓ ତାଳଚେରରେ ୧୫ ମିମି ଲେଖାଏଁ ବର୍ଷା ହୋଇଛି।

ଅପରପକ୍ଷେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର ବାକି ଅଂଶରେ ସକ୍ରିୟ ହୋଇଛି। ଫଳରେ ଗୁଜରାଟର କିଛି ଅଂଶ ସମେତ ମୁମ୍ବାଇ, ମହାରାଷ୍ଟ୍ରର ବାକି ଅଞ୍ଚଳ, ମଧ୍ୟପ୍ରଦେଶର କିଛି କିଛି ଅଂଶ, ଛତିଶଗଡ଼, ଝାରଖଣ୍ଡ ଓ ବିହାରର ଅଂଧିକାଶ ସ୍ଥାନରେ ମୌସୁମୀ ବର୍ଷା ହୋଇଛି। ଅନୁକୂଳ ପରିସ୍ଥିତି ଯୋଗୁଁ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତର ଆରବ ସାଗରର କିଛି ଅଂଶରେ ମୌସୁମୀ ବାୟୁ ସକ୍ରିୟ ହେବ। ଫଳରେ ଗୁଜରାଟ ଓ ମଧ୍ୟପ୍ରଦେଶର ଅଧିକ କିଛି ଅଞ୍ଚଳ, ଛତିଶଗଡ଼, ଝାରଖଣ୍ଡ ଓ ବିହାରର ବାକି ସମସ୍ତ ଅଞ୍ଚଳରେ ମୌସୁମୀ ବର୍ଷା ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟଟି ଏବେ ପୂର୍ବ ମଧ୍ୟପ୍ରଦେଶ ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଛି। ଫଳରେ ଏହି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର