ଆଜି ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା

ସେପ୍ଟେମ୍ବର ୨ରେ ଆଉ ଏକ ଲଘୁଚାପ, ୨ରୁ ୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, କଟକ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ୩୦ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ୩୦ ଓ ୩୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ସେପ୍ଟେମ୍ବର ୧ରୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ସେପ୍ଟେମ୍ବର ୨ ବେଳକୁ ଉତ୍ତରପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶରେ ଭୀଷଣ ବର୍ଷା ଲାଗିରହିବ। ଗୁରୁବାର ସୃଷ୍ଟି ହେବାକୁ ଥିବା ଲଘୁଚାପ ତୁଳନାରେ ଏହାର ପ୍ରଭାବ ଅଧିକ ରହିବ। ୨ରୁ ୫ ତାରିଖ ମଧ୍ୟରେ ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ‌ତେଣୁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ଅନ୍ୟପକ୍ଷରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏ କେ ନାୟକ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ୨୯ ଓ ୩୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ପୁରୀ ଓ ଜଗତ୍‌ସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୩୧ ତାରିଖରେ ଦକ୍ଷିଣ ଓଡ଼ିଶା ଯଥା‌ ମାଲକାନଗିରି, କୋରାପୁଟ, ଗଜପତି ଓ କଳାହାଣ୍ଡି ଜିଲ୍ଲା, ସେପ୍ଟେମ୍ବର ପହିଲାରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତେଣୁ ଏହି ତିନି ଦିନ ଲାଗି ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨ ତାରିଖରୁ ବର୍ଷା ପରିମାଣ ବଢ଼ିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ପୁରୀ, ନୟାଗଡ଼, ଗଞ୍ଜାମ, କଟକ, ଢେଙ୍କାନାଳ, ଖୋର୍ଧାରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୧୨ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର