ଭୁବନେଶ୍ବର : ପ୍ରାୟ ସପ୍ତାହେ ବ୍ୟବଧାନରେ ପୁଣି ରାଜ୍ୟରେ ସକ୍ରିୟ ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୁଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଜୁଲାଇ ପହିଲାରୁ ରାଜ୍ୟରେ ବର୍ଷା ଲାଗି ରହିବ। ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।
WKBN.com୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ବିଶେଷକରି ୯ଟି ଜିଲ୍ଲାରେ ପ୍ରବଳ ବର୍ଷିବ। ସେହି ଜିଲ୍ଲାଗୁଡ଼ିକ ହେଲା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜ। ଏଥିସହ ସେହିଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଧା, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ୩ ତାରିଖ ଦିନ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି, କୋରାପୁଟ, ଗଞ୍ଜାମ ଓ ନବରଙ୍ଗପୁର।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ହେବ। ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ୨୬ ଡିଗ୍ରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୫୩ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୫୧ ମିମି, ଭବାନୀପାଟଣାରେ ୪୦ ମିମି ଓ ନୟାଗଡ଼ରେ ୨୬ମିମି ବର୍ଷା ରେକର୍ଡ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/rain-5.jpg)