ଆଜିଠୁ ତିନି ଦିନ ବର୍ଷା, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। ହେଲେ ଏହା ପ୍ରଭାବରେ ରବିବାର ଓ ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିବା ସହ କହିଛି ଯେ, ଏହି ବର୍ଷାରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହେବ। ମୌସୁମୀ ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଯାଇଥିଲା। ତେଣୁ ଭଲ ବର୍ଷା ହୋଇନଥିଲା। ଜୁନ୍‌ ମାସରେ ସ୍ବାଭାବିକ ବର୍ଷା ହୋଇନଥିଲା। ହେଲେ ଏବେ ଭଲ ବର୍ଷା ହେବ। ନିୟମିତ ବ୍ୟବଧାନରେ ବର୍ଷା ହେବ।

ଜୁନ୍ ୩୦ରୁ ଜୁଲାଇ ୨ ପର୍ଯ୍ୟନ୍ତ କୋରାପୁଟ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, କଟକ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ଷାରେ ଏହି ସବୁ ଜିଲ୍ଲାରେ ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନେ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ କୁହାଯାଇଛି। ଜିଲ୍ଲାପାଳମାନେ ସ୍ଥିତି ଉପରେ ନଜର ରଖିବା ସହ ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ମତ୍ସ୍ୟଜୀବୀମାନେ ତୁରନ୍ତ ସମୁଦ୍ର ଭିତରୁ ଆସିବାକୁ କୁହାଯାଇଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଜୁଲାଇ ୩ରୁ ବର୍ଷାର ପରିମାଣ କମିବ। କିନ୍ତୁ ଏହାର ଦୁଇରୁ ତିନି ଦିନ ପରେ ପୁଣି ବର୍ଷା ହେବ। ଆଜି ବାଲେଶ୍ବର ଓ ବାରିପଦା‌ରେ ସର୍ବାଧିକ ୧୬ମିମି ବର୍ଷା ହୋଇଥିବାବେଳେ ବଲାଙ୍ଗୀରରେ ୬ମିମି, ପାରାଦୀପରେ ୦.୫ମିମି, କୋରାପୁଟରେ ୦.୬ମିମି ବର୍ଷା ହୋଇଛି।

ପାଣିପାଗ ବିଭାଗ ବର୍ଷା ହେବ ବୋଲି ପୂର୍ବାନୁମାନ କରିବା ପରେ ଚାଷୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। କାରଣ ଜୁନ୍ ଦ୍ବିତୀୟ ସପ୍ତାହରେ ସାଧାରଣତଃ ଧାନ ରୁଆ ହେଉଥିବାବେଳେ ଏବେ ସୁଦ୍ଧା ବିଲରେ ପାଣି ନଥିବାରୁ ଚାଷ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର