ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ରହିଛି। ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ୨୭ ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୨୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୭ରୁ ୨୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଲାଗିରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ।

Advertisment

ଓଡ଼ିଶାରେ ବର୍ଷା ବଢ଼ିବାକୁ ଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ୨୭ ଓ ୨୮ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମସ୍ତ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। କେତେକ ସ୍ଥାନରେ ପ୍ରବଳ(୬୪.୪-୧୧୫.୫ ମିମି)ରୁ ଅତିପ୍ରବଳ(୧୧୫.୫-୨୦୪.୪ ମିମି) ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସକାଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କଟକ ସହରରେ ସର୍ବାଧିକ ୭୪.୮ ମିମି ବର୍ଷା ହୋଇଛି। ଏହାବ୍ୟତୀତ କଟକ ଜିଲ୍ଲାର ବାଙ୍କିରେ ୭୨ ମିମି, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ ୬୭, ନୟାଗଡ଼ ଜିଲ୍ଲାର ଭାପୁରରେ ୫୯.୩, ଭଦ୍ରକ ଜିଲ୍ଲାର ତିହିଡ଼ିରେ ୫୬, କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରେ ୫୫ ମିମି ବର୍ଷା ହୋଇଥିଲା। ଆଜି ଦିନ ସମୟରେ ନୟାଗଡ଼ରେ ସର୍ବାଧିକ ୧୧୦ ମିମି, ପାରଳାଖେମୁଣ୍ଡିରେ ୬୯.୮, ନବରଙ୍ଗପୁରରେ ୨୩, ଭୁବନେଶ୍ବରରେ ୨୧.୩, ମାଲକାନଗିରିରେ ୧୬.୮, ଟିଟିଲାଗଡ଼ରେ ୧୫, ଫୁଲବାଣୀରେ ୧୪ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ରାତିରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିଥିବା ଜଣାପଡ଼ିଛି।