ଜଳେଶ୍ୱର/ଭଦ୍ରକ: ସୁବର୍ଣ୍ଣରେଖାରେ ଆଜି ଚଳିତ ବର୍ଷର ଷଷ୍ଠ ବନ୍ୟା ଏବଂ ବୈତରଣୀରେ ଦ୍ବିତୀୟ ବନ୍ୟା ଆସିଛି। ଫଳରେ ଉତ୍ତର ବାଲେଶ୍ବରର ଜଳେଶ୍ବର, ଭୋଗରାଇ ଓ ବାଲିଆପାଳ ବ୍ଲକ୍ ଅଧୀନ ୨୫ ପଞ୍ଚାୟତର ୯୨ରୁ ଅଧିକ ଗାଁ ଏବଂ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନ ୫ ପଞ୍ଜାୟତର ୨୫ରୁ ଅଧିକ ଗାଁରେ ପାଣି ପଶିଛି। ସୂଚନା ଅନୁସାରେ, ଗତ ୪ ଦିନ ଧରି ଉପରମୁଣ୍ଡରେ ବର୍ଷା ଜାରି ରହିଛି। କେନ୍ଦ୍ର ଜଳ ଆୟୋଗ ରିପୋର୍ଟ ଅନୁସାରେ, ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ମଧ୍ୟରେ ଜାମସେଦପୁରରେ ୮.୬ ମିମି, ଘାଟଶିଳାରେ ୫.୮ ମିମି, ଜାମଶୋଳାରେ ୪.୮ ମିମି ଓ ଫେକରେ ୨.୦ ମିମି ବର୍ଷା ରେକର୍ଡ କରାଯାଇଛି। ତଳମୁଣ୍ଡ ରାଜଘାଟରେ ୧୧.୦ ମିମି ବର୍ଷା ହୋଇଛି। ଗତକାଲି ଗାଲୁଡିହି ବ୍ୟାରେଜ୍ର ୧୩ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ସକାଳଠାରୁ ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ପାଇଛି। ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଅପରାହ୍ଣ ୪ଟା ସୁଦ୍ଧା ଜଳସ୍ତର ବିପଦ ସଙ୍କେତର ବହୁ ଉପରେ ଅର୍ଥାତ୍ ୧୧.୧୭ ମିଟରରେ ପ୍ରବାହିତ ହେଉଛି।
ଫଳରେ ଉତ୍ତର ବାଲେଶ୍ବରର ୩ଟି ବ୍ଲକ୍ ଜଳେଶ୍ବର, ଭୋଗରାଇ ଓ ବାଲିଆପାଳ ବ୍ଲକ୍ର ତଳିଆ ପଞ୍ଚାୟତଗୁଡ଼ିକ ବନ୍ୟା ପ୍ରଭାବିତ ହୋଇଛି। ଜଳେଶ୍ବର ବ୍ଲକ୍ ଅଧୀନ ବାଇଗଣବାଡ଼ିଆ, ଝାଡ଼ପିପଳ, ପଶ୍ଚିମବାଡ଼, ପାଇକସିଦା, ଗଡ଼ସାହି ବାଲିଆପାଳ, ଆର୍ଆର୍ପୁର, କେଏମ୍ସାହି ଓ ଦକ୍ଷିଣ ପ୍ରହରାଜପୁର ପ୍ରଭୃତି ୯ ପଞ୍ଚାୟତର ୩୦ରୁ ଅଧିକ ଗାଁରେ ପାଣି ପଶିଛି। ସେହିପରି ଭୋଗରାଇ ବ୍ଲକ୍ ଅଧୀନ କୁମ୍ଭୀରଗଡ଼ି, ଆରୁହାବୃତ୍ତି-୧, ଖରିଦପିପଳ, ନାଚିନ୍ଦା, ଗବଗାଁ, କୁଶୁଡ଼ା ଓ ପୁଟିଣା ଆଦି ୭ ପଞ୍ଚାୟତର ୩୨ରୁ ଅଧିକ ଗାଁ ଏବଂ ବାଲିଆପାଳ ବ୍ଲକ୍ ଅଧୀନ ନିଖିରା, ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ଜାମକୁଣ୍ଡା, ମଧୁପୁରା ପ୍ରଭୃତି ୯ ପଞ୍ଚାୟତର ୩୦ରୁ ଅଧିକ ଗାଁରେ ବନ୍ୟାପାଣି ପଶିଛି।
ଅନ୍ୟପଟେ ବୈତରଣୀରେ ମଧ୍ୟ ବନ୍ୟା ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ତ ଚମ୍ପୁଆରେ ୫୧.୦ ମିମି, କେନ୍ଦୁଝରରେ ୯୨.୪ ମିମି, ସ୍ବାମପାଟଣାରେ ୪୬.୨ ମିମି, ଆନନ୍ଦପୁରରେ ୧୮.୪ ମିମି ଏବଂ ତଳମୁଣ୍ଡ ଆଖୁଆପଦାରେ ୧୨.୨ ମିମି. ବର୍ଷା ରେକର୍ଡ କରାଯାଇଛି। ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସଂଧ୍ୟା ୬ଟା ସୁଦ୍ଧା ୧୮.୩୩ ମିଟରରେ ପ୍ରବାହିତ ହେଉଛି। ଫଳରେ ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ ଓ କୁରିଗାଁ ପ୍ରଭୃତି ୫ ପଞ୍ଚାୟତର ୨୫ରୁ ଅଧିକ ଗାଁରେ ବନ୍ୟାପାଣି ପଶିଛି। ସେହିପରି ସପ୍ତମାତୃକା ବ୍ୟାରେଜ୍ର ବିନ୍ଧାଣ ପାର୍ଶ୍ବରେ ୫୦ ଫୁଟର ନଦୀବନ୍ଧ ଧସିଯାଇଛି। ବୈତରଣୀ ନଦୀରେ ବନ୍ୟା ଆସିବାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ବ୍ଲକ୍ର ୪ଟି ପଞ୍ଚାୟତ ସୋହଡ଼ା, ପଧାନୀ, ଅର୍ଜୁନପୁର ଓ ହସନାବାଦର ୨୫ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ୪୯ ଅଙ୍ଗନବାଡ଼ି କେନ୍ଦ୍ରକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।
ହୀରାକୁଦର ୧୨ ଗେଟ୍ ଖୋଲିଲା
ସମ୍ବଲପୁର: ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୭୩ ଫୁଟରେ ପହଞ୍ଚିଥିଲା। ଶନିବାର ୮ଟି ଗେଟ୍ ଖୋଲା ଯାଇଥିବା ବେଳେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ଆଉ ୪ଟି ଗେଟ୍ ଖୋଲାଯାଇଛି। ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ୨,୨୫,୨୦୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣର ଜଳ ନିଷ୍କାସିତ ହେଉଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ଦିନ ଉପରମୁଣ୍ଡରେ ପୁଣି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରରୁ ୧,୮୯,୬୧୨ କ୍ୟୁସେକ୍ ଜଳ ସ୍ପିଲ୍ୱେ ଏବଂ ୩୨,୩୩୮ କ୍ୟୁସେକ୍ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/25/sfsfxcxcxc-2025-08-25-04-10-02.jpg)