ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗ ଓ ଓଡ଼ିଶା ସଂଲଗ୍ନ ଉପକୂଳ ଅଞ୍ଚଳରେ ସୃଷ୍ଟ ଅବପାତ ଆଜି ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଉତ୍ତର ଝାଡ଼ଖଣ୍ଡ ଓ ସଂଲଗ୍ନ ଦକ୍ଷିଣ ବିହାର ଅଞ୍ଚଳରେ ରହିଥିବା ଏହି ଲଘୁଚାପ କ୍ଷେତ୍ର ଆଜି ସେହି ଅଞ୍ଚଳରେ ହିଁ ରହିଥିଲା। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି।
ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼ ଓ ଭବାନୀପାଟଣା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଆଜି ସାରା ଓଡ଼ିଶାରେ ବର୍ଷିଛି। ଆସନ୍ତକାଲି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପବନର ବେଗ ବି ଅଧିକ ରହିବ। ବିଜୁଳି, ଘଡ଼ଘଡ଼ିର ଆଶଙ୍କା ବି ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଉପକୂଳ ଓଡ଼ିଶାରେ ବି ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ରାଜ୍ୟରେ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଜାରି ରହିବ। ୨୦ ଓ ୨୧ ତାରିଖରେ ବି ବର୍ଷା ଜାରି ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।