ଆଜି ଓ ଆସନ୍ତାକାଲି ପ୍ରବଳ ଛେଚିବ: ୮ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସଂଭାବନା ରହିଛି ।

ଆଜି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମାଲକାନଗିରି ଓ କୋରାପୁଟରେ ଅତିପ୍ରବଳ ବର୍ଷା ସହ ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

୨୯ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବିଜୁଳି ଘଡଘଡି ପ୍ରତି ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ସେପଟେ ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଏବେବି ରାଜ୍ୟରେ ଅନେକ ଜିଲ୍ଲାରେ ନିଅଁଣ୍ଟିଆ ବର୍ଷା ଦେଖାଦେଇଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ପୁରୀ ଓ ବଲାଙ୍ଗୀରରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି।

ବିଶେଷ କରି ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ରାଜ୍ୟର ୮ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ନୂଆପଡ଼ା, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ନବରଙ୍ଗପୁର ନୂଆପଡା ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୯ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ସମ୍ବନ୍ଧିତ ଖବର