୧୪ରୁ ୧୬ ଭୀଷଣ ବର୍ଷିବ, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ରାଜ୍ୟରେ ଏବେ ଉଭୟ ଲଘୁଚାପ ଓ ‌ମୌସୁମୀଜନିତ ବର୍ଷା ଜାରି ରହିଛି। ମଙ୍ଗଳବାର ଦିନ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମା‌ଳ, ବଲାଙ୍ଗୀର, ଗଞ୍ଜାମ ଓ ନୟାଗଡ଼ ଆଦି ଜିଲ୍ଲାରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ଆଜି ମଧ୍ୟ ରାଜ୍ୟର ୧୬ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ବି‌ଶେଷ କରି ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ ଓ ଦେବଗଡ଼‌ରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୧୪ରୁ ୧୬ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ୧୪ ତାରିଖ ଦିନ ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବୌଦ୍ଧ, ସମ୍ବଲପୁର, ସୋନପୁର ଓ ବରଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ବାଲେଶ୍ବର, ‌ଭଦ୍ରକ, ଖୋର୍ଧା, ନୟାଗଡ଼, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ସେଦିନ ପ୍ରବଳ ବର୍ଷା ହେବ। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିଭଳି ୧୫ ତାରିଖ ଦିନ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନୁଗୁଳ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷାଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୬ ତାରିଖ ଦିନ ମଧ୍ୟ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ପାଗ ମେଘୁଆ ରହିଥିଲା। ମଝିରେ ମଝିରେ ବର୍ଷା ମଧ୍ୟ ହୋଇଥିଲା। ଆସନ୍ତାକାଲି ମଧ୍ୟ ରାଜଧାନୀର ପାଗ ଏହି ଭଳି ରହିବ। ମଝିରେ ମଝିରେ ବର୍ଷା ହେବ।

ସମ୍ବନ୍ଧିତ ଖବର