ଆଗକୁ ଆହୁରି ବର୍ଷିବ : ବୈତରଣୀ ଫୁଲିଲା, ବନ୍ୟା ଡର ନାହିଁ; ୫ ଜିଲ୍ଲା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ

ସାଲେପୁରରେ ସର୍ବାଧିକ ୩୦୦ ମିମି ବର୍ଷା
୧୩୭ ବ୍ଲକ୍‌ ପ୍ରଭାବିତ, ୫ ବ୍ଲକ୍‌ରେ ୨୦୦ମିମିରୁ ଅଧିକ
୨୩ରେ ଆଉ ଏକ ଲଘୁଚାପ, ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲି ସକାଳ ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ରେଡ୍‌ ଵାର୍ଣ୍ଣିଂ ଜାରି ସହିତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଏସବୁ ଜିଲ୍ଲାରେ ୨୦ ସେଣ୍ଟିମିଟର ବା ତା’ ଠାରୁ ଅଧିକ ବର୍ଷା ହେବା ବିଚିତ୍ର ନୁହେଁ। ସେହିଭଳି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଂଜରେ ବି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ସଂପର୍କରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇ ଦେଇଛନ୍ତି। ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ସୂଚାଇ ଦେଇଛି ଯେ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ। ପ୍ରଥମ ଲଘୁଚାପର ପ୍ରଭାବ ୨୨ ତାରିଖରେ ଶେଷ ହେବ କିନ୍ତୁ ୨୩ ତାରିଖରେ ଆସୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଏହାର ସର୍ବାଧିକ ପ୍ରଭାବ କିନ୍ତୁ ୨୪ ତାରିଖ ଅପରାହ୍ନରୁ ୨୫ ତାରିଖରେ ଦେଖାଦେବ। ସେଦିନ ପାଇଁ ଏବେଠାରୁ ଅରେଞ୍ଜ ଵାର୍ଣ୍ଣିଂ ଅର୍ଥାତ୍ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ସୂଚାଇ ଦିଆଯାଇଛି।

ଅନ୍ୟପକ୍ଷରେ ଗତକାଲିଠାରୁ ଜାରି ରହିଥିବା ବର୍ଷାର ଗଭୀର ପ୍ରଭାବ ପଡ଼ିଛି ରାଜ୍ୟରେ। ଜିଲ୍ଲା ହିସାବରେ ବିଚାର କଲେ ନବରଙ୍ଗପୁରରେ (୧୩୦.୬ ମିଲିମିଟର) ସବୁଠାରୁ ଅଧିକ ବର୍ଷା ହେଇଛି। ବ୍ଲକକୁ ୟୁନିଟ୍ କଲେ କଟକର ସାଲେପୁରରେ ସର୍ବାଧିକ ୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୫ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୪୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ଏବଂ ୮୫ଟି ବ୍ଲକରେ ୫୦ରୁ ୧୦୦ ମିଲିମିଟର ବର୍ଷା ହୋଇଛି।

ବର୍ଷା ପ୍ରଭାବରେ ଅଧିକାଂଶ ଧାନ ଚାଷଜମିରେ ପାଣି ଜମି ରହିଥିବା ବେ​ଳେ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି। ବିପଦ ସଙ୍କେତ ପାଖାପାଖି ପ୍ରଭାବିତ ହେଉଛି। ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବଢିଛି। ହେଲେ ବଡ଼ ବନ୍ୟା ସମ୍ଭାବନା ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆଜି ଏସ୍‌ଆରସି ଶ୍ରୀ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ରହିଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଛି। ଏହା ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପର ଦେଇ ଆସନ୍ତା ତିନି ଚାରିଦିନ ମଧ୍ୟରେ ଆଗକୁ ବଢିବ। ଅନ୍ୟପକ୍ଷରେ ୨୩ ତାରିଖରେ ବଙ୍ଗୋପସାଗରର ଉତ୍ତରପଶ୍ଚିମ ଦିଗରେ ଆଉ ଏକ ଲଘୁଚାପ ସଂଗଠିତ ହେଉଛି। ଏହାର ଜବରଦସ୍ତ ପ୍ରଭାବ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିବ। ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ସୁନ୍ଦରଗଡ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବ। ୨୪ ତାରିଖରେ କିନ୍ତୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ମାଲକାନଗିରରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ସେହିଦିନ ଅପରାହ୍ନରୁ ମୟୂରଭଂଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ ଏବଂ ଦେବଗଡ଼ରେ ଅତି ଭୀଷଣ ବର୍ଷା ଅର୍ଥାତ୍ ୨୦୦ ମିଲିମିଟର ବର୍ଷା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ନବରଙ୍ଗପୁର ପରେ କଟକରେ ସର୍ବାଧିକ ୧୧୭.୨ ମିମି, ଯାଜପୁରରେ ୧୧୧.୮ ମିମି, କୋରାପୁଟରେ ୧୦୦.୮ମିମି, କେନ୍ଦ୍ରାପଡ଼ାରେ ୧୦୦.୨ ମିମି,ମାଲକାନଗିରିରେ ୯୮.୫ ମିମି ବର୍ଷା ରେକର୍ଡ ହୋଇଛି। ସେପଟେ ସାଲେପୁର ପରେ କଟକର ନିଶ୍ଚିନ୍ତକୋଇଲିରେ ୨୯୭.୫ମିମି, କଳାହାଣ୍ଡିର ଥୁଆମୁଳ ରାମପୁରରେ ୨୨୯.୪ମିମି, ନବରଙ୍ଗପୁରର ପାପଡ଼ାହାଣ୍ଡିରେ ୨୮୦ମିମି ଓ ନବରଙ୍ଗପୁୁର ସଦରରେ ୨୪୩ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ଜଣାଇଛି।

ସମ୍ବନ୍ଧିତ ଖବର