ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତାରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଟ୍ରଫ୍‌ ଲାଇନ୍‌ ଆଜି ଦୁର୍ବଳ ହୋଇ ପଡ଼ିଛି। ଅନ୍ୟପକ୍ଷରେ ଉତ୍ତରଦକ୍ଷିଣରେ ସମୁଦ୍ର ପତନ ଠାରୁ ୪.୫ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଅନୃ ଏକ ଟ୍ରଫ୍‌ ଲାଇନ୍‌ ପୂର୍ବ ଉତ୍ତରପ୍ରଦେଶରୁ ଦକ୍ଷିଣ ଓଡ଼ିଶା ଉପର ଦେଇ ଛତିଶଗଡ଼ ପର୍ଯ୍ୟନ୍ତ ଗତିଶୀଳ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ନେଇ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

Advertisment

ଦକ୍ଷିଣ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ତଥା ଉତ୍ତର ଉପକୂଳ ଓଡିଶାର କିଛି ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଓ ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କଟକ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ।

publive-image Metweather

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବଶୂନ୍ୟ ହୋଇ ରହିଥିବା କାରଣରୁ ରାଜ୍ୟରେ ମୌସୁମୀ ଜନିତ ବର୍ଷାର ପ୍ରଭାବ ଅନୁଭୂତ ହେବନାହିଁ। ତେବେ, ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ଟ୍ରଫ୍‌ ଲାଇନ ପ୍ରଭାବରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତ ଲାଗିରହିବ। ଏହିକ୍ରମରେ ଆସନ୍ତା ରବିବାର ଅପରାହ୍ନ ମଧ୍ୟରେ ରାଜ୍ୟର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।