ଆଜିଠୁ ୪ ଦିନ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଏବେ ମେଘୁଆ ରହିଛି। ବର୍ଷା ମଧ୍ୟ ଜାରି ରହିଛି। ଜୁନ୍‌ ୧୫ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ୯୮.୩ ମିମି ବର୍ଷା ରେକର୍ଡ ହୋଇଛି। ଯାହା ଏହି ସମୟ ପରିଧି ମଧ୍ୟରେ ରାଜ୍ୟର ସ୍ୱାଭାବିକ ବର୍ଷା ୯୪.୭ ତୁଳନାରେ ପାଖାପାଖି ୪% ଅଧିକ। ଅର୍ଥାତ ୧୬ ଜୁନରେ ରାଜ୍ୟକୁ ମୌସୁମୀ ଛୁଇଁବା ପରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି। ଆଜିଠାରୁ ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆଜି ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ହେବାର ସମ୍ଭାବନାକୁ ନେଇ ପାଣିପାଗ କେନ୍ଦ୍ର ୱାର୍ଣ୍ଣିଂ ଜାରି କରିଛି।

ପାଣିପାଗ କେନ୍ଦ୍ର କହିଛି ଯେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି। ଫଳରେ  ଆଜି ଉପରୋକ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ‌ହେବ। ସେହିଭଳି ୨୬ ତାରିଖ ଦିନ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୨୮ ଓ ୨୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ଭଳି ଆସନ୍ତାକାଲି ମଧ୍ୟ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ। ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ରାଜଧାନୀ ଓ ସଂଲଗ୍ନ ସ୍ଥାନଗୁଡ଼ିକର ଦିନ ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହିବ।

 

ସମ୍ବନ୍ଧିତ ଖବର