ରାଜ୍ୟରେ ୩୦ ଯାଏ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ରବିବାର ଦିନ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଏବେ ଏକ ଘୂର୍ଣ୍ଣିବଳୟ ରହିଥିବା ବେଳେ ସମୁଦ୍ର ପତ୍ତନଠାରୁ ଏହା ୩.୧ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରବିବାର ଦିନ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଆଜି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୨୮ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ମାଲକାନଗିରି ଓ କୋରାପୁଟ ଆଦି ୭ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ୨୯ ଓ ୩୦ ତାରିଖ ଦିନ ଏହି ୭ ଜିଲ୍ଲା ସମେତ ଅନୁଗୁଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।

ରବିବାର ସକାଳୁ ରାଜଧାନୀର ପାଗ ମେଘୁଆ ରହିଥିଲା। ମଧ୍ୟାହ୍ନରେ ଟାଣ ଖରା ହୋଇଥିଲା। ଆକାଶ ଆଂଶିକ ମେଘୁଆ ମଧ୍ୟ ରହିଥିଲା। ଆଜି ମଧ୍ୟ ରାଜଧାନୀ ଓ ଆଖପାଗ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ତାପମାତ୍ରା ୩୪ଡିଗ୍ରି ଓ ସର୍ବନିମ୍ନ ୨୬ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର