ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ୍ରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ସ୍ଥିତି ଗମ୍ଭିର ହୋଇ ପଡିଛି। ବଡଗଡ ନିକଟରେ ଡାଇଭରସନ ରୋଡ଼ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ଗୋକୁଳପୁର ନିକଟ ପଦ୍ମାନଦୀର ପୋଲ ଭାସି ଯାଇଥିବା ଜଣାପଡିଛି। ଏହା ଦ୍ୱାରା ୧୦ ଖଣ୍ଡ ଗାଁ ଲୋକେ ବାହ୍ୟଜଗତରୁ ବିଛିନ୍ନ ହୋଇରହିଛନ୍ତି । ଗଛର ଗଣ୍ଡି ଉପରେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ ।
/sambad/media/post_attachments/wp-content/uploads/2020/10/soroda1-300x150.jpg)
ସୋରଡ଼ା ବ୍ଲକ ବୋରଦା ପଞ୍ଚାୟତ ଗୋକୁଳପୁର ଗ୍ରାମ ନିକଟରେ ପୋଲ ବର୍ଷାପାଣିରେ ଜଣା ପଡୁନଥିବା ବେଳେ ବର୍ଷା ପାଣିରେ ବୋହି ଆସିଥିବା କାଠ ଗଣ୍ଡିକୁ ସାହାରା କରି ଅତି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଗ୍ରାମବାସୀ । ଏହି ବ୍ରିଜ୍ ଦେଇ ଗୋକୁଳପୁର ଠାରୁ ଡୁମ୍ବୁଳା ଓ ଖାରିଗୁଡା ଗ୍ରାମକୁ ସଂଯୋଗ କରୁଛି ଏହି ରାସ୍ତା । ଦୁଇଦିନ ଧରି ଲଗାଣ ବର୍ଷାର ପ୍ରଭାବରେ ଗତକାଲି ସକାଳୁ ପୋଲଟି ଭାସି ଯାଇଥିବା ଜଣାପଡିଛି। ଯାହାଦ୍ୱାରା ଗୁନାଖାଲ, ହରିପୁର, ମାଣିଆକାଠି, ଜାମ ଝୋଳି, ଲକ୍ଷ୍ମୀପୁର ଡୁମ୍ବୁଳା ଓ ଧନପୁର ଭଳି ଗ୍ରାମ ଗୁଡ଼ିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଯାହା ଫଳରେ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଅତ୍ୟାବଶ୍ୟକ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିକଳ୍ପ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡିଛି। ଯୁଦ୍ଧକାଳୀନଭିତ୍ତିରେ ରାସ୍ତା ସଂଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/soroda.jpg)