ଲଘୁଚାପ ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ, ଅଗଷ୍ଟ ୧ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଦୁଇଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପଶ୍ଚିମବଙ୍ଗର ଗାଙ୍ଗେୟ ଅଂଚଳ ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ବିହାର ଓ ଦକ୍ଷିଣ ଉତ୍ତରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ବିଭାଗର ରିପୋର୍ଟ ଅନୁସାରେ ଏହି ଲଘୁଚାପ ପ୍ରଭାବରୁ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ଗତ କାଲିଠାରୁ ବର୍ଷା ଲାଗି ରହିଛି ଓ ସୁନ୍ଦରଗଡ଼,କେନ୍ଦୁଝର, କନ୍ଧମାଳ ଓ ମୟୁରଭଂଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ମୟୁରଭଞ୍ଜ,ସୋନପୁର, ନୂଆପଡ଼ା ଓ ବଲାଙ୍ଗୀରର ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ବା ହଳଦିଆ ସତର୍କତା ଜାରି କରାଯାଇଛି । ଜୁଲାଇ ୩୧ରୁ ଅଗଷ୍ଟ ୧ ସୁଦ୍ଧା ପଶ୍ଚିମ-ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼,ବରଗଡ଼,ନୂଆପଡ଼ା,ଝାରସୁଗୁଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର