ଭୁବନେଶ୍ବର: ଆସନ୍ତା ୨ ତାରିଖରୁ ପୁଣି ଓଡ଼ିଶାରେ ଲଘୁଚାପ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆସନ୍ତା ୨ରୁ ୪ ତାରିଖ ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ବଙ୍ଗୋପସାଗର ଅଶାନ୍ତ ହେବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି। ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ପ୍ରଭାବ କଣ ରହିବ ତାହା ଜଣାପଡ଼ିବ। ଏହାର ତ୍ରୀବତା ଓ ଗତିପଥ ବାବଦରେ ଏବେଠୁ ପୂର୍ବାନୁମାନ କରିହେବନି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା କେଉଁ ଦିଗକୁ ଗତି କରିବ ଓ କଣ ଏହାର ପ୍ରଭାବ ରହିବ ସେ ବାବଦରେ ସ୍ପଷ୍ଟ ସୂଚନା ମିଳିଯିବ।
ତେବେ ଆସନ୍ତା ୪ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳ ମୁହାଁ ହୋଇପାରେ।ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଏପରିକି ଏହି ଲଘୁଚାପ କ୍ଷେତ୍ର ସାଇକ୍ଲୋନିକ ଡିଷ୍ଟରବାନ୍ସରେ ପରିଣତ ହେବାର ସଙ୍କେତ ମିଳୁଥିବା କହିଛନ୍ତି ଆଇଏମଡି ଡିଜି। କିନ୍ତୁ ଏହା ଯଦି ବାତ୍ୟାର ରୂପ ନିଏ ତେବେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଆସନ୍ତା ୨ ତାରିଖରୁ ପୁଣି ଓଡ଼ିଶାରେ ବର୍ଷା, ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2021/11/716e8c76-55a7-4169-b30d-ffe0386d5b10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)