ପ୍ରବଳ ବର୍ଷାର ସମ୍ଭାବନା: ଓଡ଼ିଶାର ୪ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର: ଲଘୁଚାପର ପ୍ରଭାବରେ ରାଜ୍ୟର ଚାରିଟି ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।  ଏଥିଲାଗି ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଏଣେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ଆସନ୍ତୁ ନଜର ପକାଇବା କେଉଁ ଜିଲ୍ଲାରେ ଆଗାମୀ ୨୧ ତାରିଖ ଯାଏ ପାଣିପାଗ କିପରି ରହିବ।

ଦିନ-୧(୨୦ ଅଗଷ୍ଟ ସକାଳ ୦୮୩୦ ଘଣ୍ଟା ପର୍ଯ୍ୟନ୍ତ ବୈଧ):
୪ ଜିଲ୍ଲାକୁ ଲାଲ ଚେତାବନୀ (ରେଡ୍ ଓ୍ଵାର୍ଣ୍ଣିଂ)
କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳରୁ ଅତି ପ୍ରବଳ ବର୍ଷା (୨୦ ସେମି)ରୁ ଅଧିକ ଏବଂ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ହେବାର ସମ୍ଭାବନା ରହିଛି।
୧୨ ଜିଲ୍ଲାକୁ କମଳା ଚେତାବନୀ (ଅରେଞ୍ଜ ଓ୍ଵାର୍ଣ୍ଣିଂ)
କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ହେବାର ସମ୍ଭାବନା ରହିଛି।
୮ ଜିଲ୍ଲାକୁ ହଳଦିଆ ଚେତାବନୀ (ୟେଲୋ ଓ୍ଵାର୍ଣ୍ଣିଂ)
ଝାରସୁଗୁଡା, ବରଗଡ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି।
ଦିନ-୨ (୨୦ ଅଗଷ୍ଟ ସକାଳ ୦୮୩୦ରୁ ୨୧ ଅଗଷ୍ଟ ସକାଳ ୦୮୩୦ ଘଣ୍ଟା ପର୍ଯ୍ୟନ୍ତ ବୈଧ)
କମଳା ଚେତାବନୀ (ଅରେଞ୍ଜ ଓ୍ଵାର୍ଣ୍ଣିଂ)
ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, କେନ୍ଦୁଝର ଓ ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ହେବାର ସମ୍ଭାବନା ରହିଛି।
ହଳଦିଆ ଚେତାବନୀ (ୟେଲୋ ଓ୍ଵାର୍ଣ୍ଣିଂ)
ମୟୂରଭଞ୍ଜ, ଅନୁଗଳ, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା ଓ ଢେଙ୍କାନାଳ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଗଭୀର ଅବପାତ ପାଲଟିବାକୁ ଥିବା ଗତକାଲିର ଲଘୁଚାପ କ୍ଷେତ୍ର ଆଜି ସନ୍ଧ୍ୟାସୁଦ୍ଧା ବାଲେଶ୍ବର ଓ ସାଗର ଦ୍ବୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

Skymet Weather

ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସଦ୍ୟତମ ବୁଲେଟିନ୍ ଅନୁସାରେ, ବଙ୍ଗୋପସାଗର ଉତ୍ତରପୂର୍ବ ଓ ପୂର୍ବକେନ୍ଦ୍ରୀୟ ସଂଲଗ୍ନ ଅଞ୍ଚଳ, ବାଂଲାଦେଶ ଏବଂ ମିଆଁମାର୍ ଉପକୂଳରେ ସଂଘଠିତ ଗତକାଲିର ମୌସୁମୀ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ଲଘୁଚାପରେ ଘନୀଭୂତ ହୋଇ ଆଜି ଭୋର୍ ୫.୩୦ ବେଳକୁ ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଛି।
ସ୍ଥଳଭାଗରୁ ଆକଳନ କଲେ ଘନୀଭୂତ ଲଘୁଚାପ ଓଡ଼ିଶାର ବାଲେଶ୍ବରର ଦକ୍ଷିଣପୂର୍ବକୁ ୩୧୦ କିଲୋମିଟର, ପଶ୍ଚିମବଙ୍ଗର ଦିଘାର ପୂର୍ବ-ଦକ୍ଷିଣପୂର୍ବକୁ ୨୫୦ କିଲୋମିଟର୍ ଏବଂ ସାଗର ଦ୍ବୀପର ପୂର୍ବ-ଦକ୍ଷିଣପୂର୍ବକୁ ୨୧୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଛି।
ଉକ୍ତ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବା ପରେ ତୀବ୍ରତର ହୋଇ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପାଲଟିଯିବାର ସମ୍ଭାବନା ଅଛି। ଏହି ଅବପାତ ଉପରୋକ୍ତ ଦିଗରେ ଗତିଶୀଳ ହୋଇ ଆଜି ସନ୍ଧ୍ୟା ବେଳକୁ ବାଲେଶ୍ବର ଓ ସାଗର ଦ୍ବୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର