ବଦଳିଲା ରାଜଧାନୀର ପାଣିପାଗ, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ କୁଆପଥର ସହ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜଧାନୀରେ ହଠାତ୍ ବଦଳିଯାଇଥିଲା ପାଣିପାଗ। ପ୍ରବଳ ଖରାରେ ଝାଳ ବାହାରୁ ଥିବା ସମୟରେ  ମାଡ଼ି ଆସିଥିଲା ବର୍ଷା ପବନ। ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ସହିତ କୁଆପଥର ବୃଷ୍ଟି ବି ହୋଇଥିଲା। ବେଶ୍‌ କିଛି ସମୟ ପାଇଁ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ କିଛି ଅଞ୍ଚଳରେ ପ୍ରବଳ କୁଆପଥର ପଡ଼ିଥିବା ସୂଚନା ମିଳିଛି।

Image result for heavy rain
Pragativadi

ଅନ୍ୟପଟେ ଆସନ୍ତା ୩୬ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ସ୍ଥିତିକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ୪୫ରୁ ୫୫କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ବିଶେଷକରି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଜଗତସିଂହପୁରରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀମାନଙ୍କୁ ନଯିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର