ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୫ଟି ଜିଲ୍ଲାରେ ରହିଛି ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ ଓ ଦେବଗଡ଼ ପ୍ରଭୃତି ପାଞ୍ଚଟି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏହି ସମୟରେ ଏହି ସମସ୍ତ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସହ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକୁ ବାଦ୍‌ ଦେଲେ ରାଜ୍ୟର ଅନ୍ୟ କେତକ ସ୍ଥାନରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଆଖପାଖ ଅଞ୍ଚଳର ଆକାଶ ଅପରାହ୍ଣରେ ମେଘୁଆ ରହିବା ସହ ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ବର୍ଷା ହୋଇ ଯାଇଥିବା କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪.୭ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ସେଲସିୟସ୍‌ ଅନୁଗୁଳ ଠାରେ ରେକର୍ଡ କରାଯାଇଥିଲା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଧୀବରମାନଙ୍କ ପାଇଁ ପାଣିପାଗ ଜନିତ ସେପରି କୌଣସି ବିଶେଷ ସୂଚନା ନାହିଁ।

ସମ୍ବନ୍ଧିତ ଖବର