ଆଗାମୀ ୨୪ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶା ରାଜ୍ୟର ୭ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଙ୍ଗଳବାର ପୂର୍ବାନୁମାନ କରିଛି। ସମ୍ବଲପୁର, ବରଗଡ଼, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥି ସହିତ ଏହି ଜିଲ୍ଲାର ଅଧିବାସୀମାନଙ୍କୁ ବର୍ଷା, ପବନ, ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ସମୟରେ ଯଦି ଘରୁ ବାହାରିବା ଆବଶ୍ୟକ ପଡେ ତେବେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଗତକାଲି ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୫.୭ଡିଗ୍ରୀ ଥିବା ବେଳେ ଟିଟଲାଗଡ଼ରେ ୨୨.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି ବରଗଡ଼, କଳାହାଣ୍ଡି, କୋରାପୁଟ, ଗଜପତି, କନ୍ଧମାଳ, କଟକ, ଯାଜପୁର, ରାୟଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ବାଲେଶ୍ୱର, ଅନୁଗୁଳ ଓ କେନ୍ଦୁଝର ଆଦି ସ୍ଥାନରେ ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର