ଆଜିଠୁ ଭୀଷଣ ବର୍ଷା : ସବୁ ବଡ଼ ନଦୀକୁ ବନ୍ୟା ଭୟ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଜୁଲାଇ ୨୩ ତାରିଖ ମଧ୍ୟରେ ଦକ୍ଷିଣ, ଉପକୂଳ, ପଶ୍ଚିମ, ଉତ୍ତର ସବୁଆେ଼ଡ଼ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ପ୍ରାୟ ସବୁ ବଡ଼ ନଦୀରେ ବନ୍ୟା ଆସିପାରେ ବୋଲି ଆଶଙ୍କା କରାଯାଉଛି। ପରିସ୍ଥିତିର ମୁକାବିଲା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସ୍ୱତନ୍ତ୍ର ରିଲିଫ୍‌ କମିସନର, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଜୁଲାଇ ୨୧ (ଆସନ୍ତାକାଲି) ଓ ୨୨ରେ ସାରା ରାଜ୍ୟରେ ବଡ଼ ବର୍ଷା ହେବ। ଶନିବାର ୧୯ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ, ପୁରୀ ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

କୃଷି ପାଣିପାଗ ବିଜ୍ଞାନୀ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି, ଲଘୁଚାପ ଏବେ ଓଡ଼ିଶା ସଂଲଗ୍ନ ଉପକୂଳରେ ରହିଛି। ଆସନ୍ତାକାଲି ମଧ୍ୟ ଏହା ଓଡ଼ିଶା ଉପରେ ରହିବ। ତେବେ ଏହି ଲଘୁଚାପର ବିଶେଷତ୍ୱ ହେଉଛି, ଏହା ଉପର ବାୟୁମଣ୍ଡଳରେ ଦକ୍ଷିଣକୁ ଢଳି ରହିଛି। ଏଣୁ ଏହାର ପ୍ରଭାବ ଟିକିଏ ଅଧିକ ଅନୁଭୂତ ହେଉଛି। ୨୧ ତାରିଖରେ ଦକ୍ଷିଣ ଓ ଉପକୂଳ ସମେତ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୨ ତାରିଖରେ ମଧ୍ୟ ବର୍ଷା ଲାଗି ରହିବ। ତେବେ ୨୩ ତାରିଖ ବେଳକୁ ଲଘୁଚାପ ଛତିଶଗଡ଼ ଉପରକୁ ଯିବା ଫଳରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଅଞ୍ଚଳରେ ପ୍ରବଳ ବର୍ଷା କରାଇବ।

ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଆଜି ରାତି ସୁଦ୍ଧା ରାଜ୍ୟର ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। କିନ୍ତୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ବଳଙ୍ଗ, ଇବ୍‌, ତେଲ ନଦୀର ଉପରମୁଣ୍ଡ ଓ ଅବବାହିକାରେ ବ଼ଡ଼ ବର୍ଷା ସମ୍ଭାବନା ରହିଛି। ଏଣୁ ନଦୀର ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। କେବଳ ସେତିକି ନୁହେଁ, ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କନ୍ଧମାଳ, କୋରାପୁଟରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଲୋକେ ଜଳବନ୍ଦୀ ହୋଇଥିବା ଖବର ମିଳିଛି।

ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛି। ଜିଲ୍ଲାର ଅଧିକାରୀମାନେ ମୁଖ୍ୟାଳୟ ଛାଡ଼ି ନ ଯିବାକୁ ମଧ୍ୟ କୁହାଯାଇଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ଜିଲ୍ଲାସ୍ତରରେ ଥିବା ଜରୁରୀକାଳୀନ ସେବା ପରିଚାଳନା କେନ୍ଦ୍ର ୨୪ ଘଣ୍ଟା ଖୋଲା ରଖିବାକୁ ନିର୍ଦେଶ ଜାରି ହୋଇଛି। ଯଦି କୌଣସି ସହାୟତା ଆବଶ୍ୟକ ହେବ ତେବେ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟସହ ଯୋଗାଯୋଗ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିସହ ଆର୍‌ଡିସି, ପୁଲିସ ଆଇଜି(ଆଇନ ଶୃଙ୍ଖଳା), ଆଇଜି ପୁଲିସ(ଅଗ୍ନିଶମ ସେବା)୍‌ଙ୍କୁ ମଧ୍ୟ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ଏହାବ୍ୟତୀତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଦୁର୍ଗମ ଅଞ୍ଚଳର ସମସ୍ତ ଆସନ୍ନ ପ୍ରସବା ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ମାନଙ୍କୁ ଆଜି ରାଜ୍ୟ ସରକାର ନିଦ୍ଦେର୍ଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି, ଦୁଗର୍ମ ଅଞ୍ଚଳର ଯେଉଁ ମହିଳାମାନେ ଆସନ୍ତା ୧୫ ଦିନ ମଧ୍ୟରେ ସନ୍ତାନ ପ୍ରସବ କରିବାର ସମ୍ଭାବନା ରହିଛି ସେମାନଙ୍କୁ ନିକଟସ୍ଥ ମାତୃତ୍ୱ ପ୍ରତୀକ୍ଷା ଗୃହକୁ ସ୍ଥାନାନ୍ତର କରାଯିବା ଦରକାର। ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର, ସାଲାଇନ୍‌, ରୋଗ ପ୍ରତିଷେଧକ ଔଷଧ, ହାଲୋଜେନ୍‌, ବଟିକା, ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ରଖିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ସ୍ତରରେ ଆସନ୍ତାକାଲିଠୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବାକୁ କୁହାଯାଇଛି। ସେଠାରେ ଜଣେ ଲେଖାଏ ଅଫିସରଙ୍କୁ ସ୍ୱାସ୍ଥ୍ୟସେବା ନିମନ୍ତେ ନୋଡାଲ୍‌ ଅଫିସର୍‌ ଭାବେ ନିଯୁକ୍ତ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ସ୍ୱତନ୍ତ୍ର ରିଲିଫ୍‌ କମିସନଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଅପରାହ୍ନ ୪ଟା ସୁଦ୍ଧା ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୫.୯ ମିମି ବର୍ଷା ହୋଇଛି। ଗଜପତିରେ ୩୦, ଦେବଗଡ଼ରେ ୨୭.୭, କେନ୍ଦ୍ରାପଡ଼ାରେ ୨୬, ଯାଜପୁରରେ ୨୪.୩, ବୌଦ୍ଧରେ ୧୯, ଗଞ୍ଜାମରେ ୧୫.୭, ଢ଼େଙ୍କାନାଳରେ ୧୩.୮, ଜଗତ୍‌ସିଂହପୁରରେ ୧୧.୫, ସୁନ୍ଦରଗଡ଼ରେ ୧୧.୪, ସୋନପୁରରେ ୧୦.୧ ମିମି ବର୍ଷା ହୋଇଛି। ରାଜ୍ୟର ୪ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକରେ ୧୪୧ ମିମି ବର୍ଷା ହୋଇଥିବା ବେଳେ ଚକାପାଦ ବ୍ଲକରେ ୧୧୦, ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡାରେ ୧୩୧ମିମି ଓ ଖଇରିପୁଟରେ ୧୧୬ ମିମି ବର୍ଷା ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୧୨ ଘଣ୍ଟାରେ କୋରାପୁଟରେ ୧୬୦ ମିମି ବର୍ଷା ହୋଇଛି। ଟିଟିଲାଗଡ଼ରେ ୭୯, ଢ଼େଙ୍କାନାଳରେ ୭୨, ମାଲକାନଗିରି ଓ ବାରିପଦାରେ ୪୩, ବାଲେଶ୍ୱରରେ ୪୧, ଗୋପାଳପୁରରେ ୨୭ ମିମି ବର୍ଷା ହୋଇଛି।

ତଥାପି ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ବର୍ଷା ବଢିଥିଲେ ହେଁ, ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଉଥିବା ପଶ୍ଚିମ ଓଡ଼ିଶା କିନ୍ତୁ ମରୁଡି ଭୟରୁ ଏଯାଏ ମୁକୁଳିପାରିନାହିଁ। ସରକାରୀ ତଥ୍ୟ ଅନୁସାରେ, ଜୁନ୍‌ ୧ରୁ ଜୁଲାଇ ୨୦ ତାରିଖ ସୁଦ୍ଧା ୩ଟି ଜିଲ୍ଲାରେ ସ୍ୱାଭାବିକ୍‌ଠାରୁ ଅଧିକ ବର୍ଷା ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ପୁରୀ ଓ ଖୋର୍ଧା। କିନ୍ତୁ ଅନ୍ୟ ୧୦ଟି ଜିଲ୍ଲା ଯଥା-ବରଗଡ଼, ମୟୂରଭଞ୍ଜ, ସମ୍ବଲପୁର, ନୂଆପଡ଼ା, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।

ସେହିପରି ବ୍ଲକ ଅନୁଯାୟୀ ଦେଖିଲେ ୬୩ଟି ବ୍ଲକରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଜଣାପଡିଛି। ୧୨୯ ବ୍ଲକରେ ସ୍ୱାଭାବିକ, ୮୦ଟିରେ ହାରାହାରିଠାରୁ କମ୍‌ ଓ ୩୮ଟିରେ ବହୁତ କମ୍‌ ବର୍ଷା ହେବା ସହ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

ଅନୁଗୁଳ ଜିଲ୍ଲାର କିଶୋରନଗର, ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା, ନବରଙ୍ଗପୁରର ରାଇଘର, ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକରେ ବହୁତ କମ୍‌ ବର୍ଷା ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ସୂଚନା ଦେଇଛନ୍ତି। ଏସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ହାରାହାରି ୫୯% ଯାଏ କମ୍‌ ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର