ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ: ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ।  ଏହି ୧୨ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଙ୍ଗଳବାର ପୂର୍ବାନୁମାନ କରିଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପ ରୂପ ନେବା ପରେ ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢ଼େଙ୍କାନାଳ, ସମ୍ବଲପୁର, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ଅତି ପ୍ରବଳ ହୋଇପାରେ। ତେଣୁ ବର୍ଷା ସମୟରେ ଏହି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବା ସହିତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ବାରଣ କରାଯାଇଛି। ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୪.୧ଡିଗ୍ରି ସେଲସିୟସ୍‌ ଥିବା ବେଳେ ହୀରାକୁଦରେ ୨୧.୩ଡିଗ୍ରି ସେଲସିୟସ୍‌ ରହିଥିଲା । ସେହିପରି କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଗଞ୍ଜାମ, କୋରାପୁଟ, ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ା, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ହୋଇଥିଲା।

 

ସମ୍ବନ୍ଧିତ ଖବର