ସାରା ରାଜ୍ୟରେ ପ୍ରବଳ ବର୍ଷା: ଛତିଶଗଡ଼-ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି/କାଲିମେଳା: ମାଲକାନଗିରି ଜିଲ୍ଲାରେ ୩ଦିନ ହେଲା ବର୍ଷା ଜାରି ରହିଥିବାରୁ ଅନେକ ନଦୀନାଳ ଭାବେ ଫୁଲିବାରେ ଲାଗିଛି। ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର କାଙ୍ଗରୁକୋଣ୍ଡା ପୋଲ ଉପରେ ଆଜି ୩ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ସେହିପରି, କାଲିମେଳା ଠାରୁ ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ବି ୪ଫୁଟ୍‌ ଉଚ୍ଚରେ ବନ୍ୟା ପାଣି ଚାଲିଥିଲା। ଉଭୟ ପୋଲ ବୁଡ଼ି ଯିବାରୁ ଆନ୍ଧ୍ର ତଥା ଛତିଶଗଡ଼କୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ମାଲକାନଗିରିରୁ ଛତିଶଗଡ଼ର ସୁକମାକୁ ସଂଯୋଗ କରୁଥିବା ରାସ୍ତାରେ ବି ସମାନ ଅବସ୍ଥା। ଝାପ୍ରା ଠାରେ ସାବେରୀ ନଦୀରେ ଜଳସ୍ତର ବଢ଼ି ପୋଲକୁ ବୁଡ଼ାଇ ଦେଇଛି। ଆଜି ସକାଳେ ଏହି ପୋଲରେ ୫ଫୁଟ୍‌ ଉଚ୍ଚରେ ପାଣି ରହିଥିଲା। ପାଣି କମିବା ପାଇଁ ଦିନେ କିମ୍ବା ଦୁଇ ଦିନ ଲାଗିଯିବ ବୋଲି କୁହାଯାଉଛି।

ସିଲେରୁ ତଥା ସାବେରୀ ନଦୀରେ ବନ୍ୟାଜଳ ପଶିବା ପରେ କାଲିମେଳା ବ୍ଲକ୍‌ ଅନ୍ତର୍ଗତ ସୀମାନ୍ତ ମୋଟୁ ଠାରୁ ୫କିଲୋମିଟର ଦୂରରେ ଥିବା କୁଇଗୁର ପୋଲ ବୁଡ଼ି
ଯାଇଛି। ଏହାପରେ ୩୨୬ନମ୍ବର ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥରେ ଦକ୍ଷିଣ ଭାରତକୁ ଯୋଗାଯୋଗ ବନ୍ଦ ହୋଇଯାଇଛି। ଆନ୍ଧ୍ର ସମେତ ତେଲେଙ୍ଗାନା ଏବଂ ଛତିଶଗଡ଼କୁ ଯାତାୟାତ ବନ୍ଦ ହୋଇ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ପୂର୍ବରୁ ବି ଗତ ମାସରେ ପ୍ରବଳ ବର୍ଷା ହୋଇ ଏହି ପୋଲ ବୁଡ଼ି ଯିବାରୁ ୧୦ଦିନ ଧରି ଯାତାୟାତ ଠାପ୍‌ ହୋଇଯାଇଥିଲା।

ବର୍ତ୍ତମାନ କେବଳ ଜୟପୁରରୁ ମାଲକାନଗିରି ରାସ୍ତାରେ ଗାଡ଼ି ଚଳାଚଳ କରୁଛି। କିନ୍ତୁ କିଛି ଘଣ୍ଟା ମଧ୍ୟରେ ଏହି ରାସ୍ତା ବି ବୁଡ଼ିଯିବ ବୋଲି ଆଶଙ୍କା କରାଯାଉଛି। କାରଣ ଆଜି ସଂଧ୍ୟା ସୁଦ୍ଧା ପାଙ୍ଗାମ ନଦୀରେ ଜଳସ୍ତର ବୃଦ୍ଧି ପାଇ ପାଙ୍ଗାମ ପୋଲକୁ ଛୁଇଁ ପାଣି ପ୍ରବାହିତ ହେଉଥିଲା। ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ଏହି ପୋଲ ବୁଡ଼ିଯାଇ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବ ବୋଲି ଜଣାପଡ଼ିଛି। ବନ୍ୟାର ଏଭଳି ଭୟଙ୍କର ପ୍ରଭାବ ମାଲକାନଗିରି ଜିଲ୍ଲାରେ ପଡ଼ିବା ପରେ କାଲିମେଳା ତଥା ପଡ଼ିଆ ବ୍ଲକ୍‌ର କିଛି ଅଞ୍ଚଳକୁ ସରକାରୀ ଅଧିକାରୀ ଯାଇପାରୁ ନଥିବା ସୂଚନା ମିଳିଛି। ତଥାପି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି। ଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ସରକାରୀ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଜାତୀୟ ରାଜପଥରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଗାଡ଼ି ଚଳାଚଳକୁ ବନ୍ଦ ରଖିଛନ୍ତି।

ସମ୍ବନ୍ଧିତ ଖବର