ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଶୁକ୍ରବାର ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଆଖପାଖ ରାଜ୍ୟର ଦକ୍ଷିଣ ଉପକୂଳରେ ପହଞ୍ଚିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ହେଉଛି ବର୍ଷା। ମନେ ହେଉଛି ମୌସୁମୀ ପ୍ରବାହ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ଶେଷ ଥର ପାଇଁ ଜୋରଦାର ବର୍ଷିବା ଆରମ୍ଭ କରିଦେଇଛି। ଗତକାଲିଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଆଜି ଉପକୂଳର ଅନେକ ସ୍ଥାନରେ ବର୍ଷିଛି। ୨୪ ଘଣ୍ଟା ଭିତରେ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଉତ୍ତର, ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସମୁଦ୍ର କୂଳରେ ପବନର ବେଗ ଅଧିକ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଦକ୍ଷିଣ ଉପକୂଳରୁ ଉପରକୁ ଉଠି ଉତ୍ତର ଉପକୂଳ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଉପକୂଳବର୍ତୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଖୋର୍ଧା ଜିଲ୍ଲା ସହିତ ଆଖପାଖ ସ୍ଥାନଗୁଡ଼ିକରେ ପ୍ରବଳ ବର୍ଷା ହେବ। ସେହିପରି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସନ୍ଧ୍ୟାବେଳକୁ ଆଭ୍ୟନ୍ତରୀଣ ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ। ବିଶେଷ କରି ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସେପଟେ ଛତିଶଗଡ଼ ଆକାଶ ମେଘୁଆ ଥିବାରୁ ପଶ୍ଚିମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହି ଘୂର୍ଣ୍ଣିବଳୟ ଜନିତ ବର୍ଷାର ପ୍ରଭାବ ରାଜ୍ୟର ସମସ୍ତ ସ୍ଥାନରେ ଊଣାଅଧକେ ଅନୁଭୂତ ହେବ। ଘୂର୍ଣ୍ଣିବଳୟ ସମୁଦ୍ର ଭିତରେ ଥିଲେ ବି ଅଧିକ ଚାପ ରହୁଥିବାରୁ ଲଘୁଚାପରେ ପରିଣତ ହୋଇପାରୁନାହିଁ। ଚାପ କମିଲେ ଲଘୁଚାପର ରୂପ ନେବ। ତେବେ ସମୁଦ୍ର ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ପବନର ଗତି ଘଣ୍ଟାକୁ ୪୫ରୁ ୫୫ କି.ମି. ପର୍ଯ୍ୟନ୍ତ ରହୁଛି। ଏହି ପରିପ୍ରେକ୍ଷୀରେ ସମୁଦ୍ର ଭିତରକୁ ଯିବା ଉପରେ ମତ୍ସ୍ୟଜୀବୀମାନଙ୍କ ଉପରେ କଟକଣା ଜାରି କରିଛି ପାଣିପାଗ କେନ୍ଦ୍ର।

ଗତ ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରରେ ସର୍ବାଧିକ ୧୦୦ ମିଲିମିଟର ବର୍ଷା ହୋଇଥିଲା। ସେହିପରି କୁଜଙ୍ଗରେ ୮୦ ମି.ମି., କୃଷ୍ଣପ୍ରସାଦରେ ୭୦ ମି.ମି., ତିର୍ତୋଲରେ ୬୦ ମି.ମି., ପାରାଦୀପରେ ୫୯.୧ ମି.ମି., ମାଲକାନଗିରିରେ ୫୩ ମି.ମି., କାକଟପୁର, ମହେନ୍ଦ୍ରଗଡ଼, ବ୍ରହ୍ମପୁର, ମାର୍ଶାଘାଇରେ ୫୦ ମି.ମି., ତିହିଡ଼ି, ପିପିଲି, ବାସୁଦେବପୁର, ନିଶ୍ଚିନ୍ତକୋଇଲି, ଚାନ୍ଦବାଲି, କୋମ୍‌ନା, ରାୟଗଡ଼ାର ବିଷମ-କଟକରେ ୪୦ ମି.ମି., ପୁରୁଷୋତ୍ତମପୁର, ବାଲିକୁଦା, କୋରାପୁଟର ପଟ୍ଟାଙ୍ଗୀ, ଡେରାବିସ, ନିଆଳି, ଲଇକେରା, ଖରିଆର ଆଦି ସ୍ଥାନରେ ପ୍ରାୟ ୩୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଚାନ୍ଦବାଲିରେ ୪୭ ମି.ମି. ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୪୨ ମି.ମି., ଦାରିଙ୍ଗିବାଡ଼ିରେ ୩୬ ମି.ମି., ଟିଟିଲାଗଡ଼ରେ ୩୨ ମି.ମି., ଭୁବନେଶ୍ୱରରେ ୨୮.୬ ମି.ମି., ପାରାଦୀପରେ ୨୫ ମି.ମି., ପୁରୀରେ ୨୧ ମି.ମି., ବଲାଙ୍ଗୀରରେ ୧୮ ମି.ମି., କଟକରେ ୧୦.୮ ମି.ମି. ବର୍ଷା ହୋଇଛି।

ସମ୍ବନ୍ଧିତ ଖବର