୨୫ ବ୍ଲକ୍‌ର ସ୍ଥିତି ବେହାଲ

ଭୁବନେଶ୍ୱର : ଗତ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ୮ଟି ଜିଲ୍ଲାର ୨୫ଟି ବ୍ଲକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସେହି ବ୍ଲକଗୁଡ଼ିକରେ ବର୍ଷା ବିପନ୍ନମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ରିଲିଫ ଏବଂ ସରକାରୀ ସହାୟତା ଯୋଗାଇ ଦିଆଯିବ। ଆବଶ୍ୟକ ସ୍ଥଳେ ସେମାନଙ୍କୁ ରିଲିଫ ମଧ୍ୟ ଯୋଗାଇ ଦିଆଯିବ। ଏ ନେଇ ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ କ୍ଷତିର ଆକଳନ ଶୀଘ୍ର ଶେଷ କରିବାକୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ଆଜି ଏ ନେଇ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ସେହି ୮ଟି ଜିଲ୍ଲା ଏବଂ ସେହି ଜିଲ୍ଲା ଅନ୍ତର୍ଗତ ବ୍ଲକଗୁଡ଼ିକ ହେଉଛି ବାଲେଶ୍ୱର ଜିଲ୍ଲା-ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ ବ୍ଲକ, ଜଗତ୍‌ସିଂହପୁର-ତିର୍ତୋଲ, ଏରସମା, ଯାଜପୁର-ଯାଜପୁର, ଦଶରଥପୁର, ବଡ଼ଚଣା, ଖୋର୍ଧା-ବାଣପୁର, ବୋଲଗଡ଼, ଚିଲିକା, ଟାଙ୍ଗୀ, ମୟୂରଭଞ୍ଜ-ଖୁଣ୍ଟା, ଜି.ବି. ନଗର, ନୟାଗଡ଼-ରଣପୁର, ପୁରୀ-ବ୍ରହ୍ମଗିରି, ଡେଲାଙ୍ଗ, ଗୋପ, କାକଟପୁର, କଣାସ, ପିପିଲି, ପୁରୀ ଏବଂ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ। ଏଥିମଧ୍ୟରୁ ଗତ ୨୪ ଘଣ୍ଟାରେ(ଆଜି ସକାଳ ୮ଟା ସୁଦ୍ଧା) କଣାସ ବ୍ଲକରେ ସର୍ବାଧିକ ୨୭୪ ମିଲିମିଟର ବର୍ଷା ହୋଇଛି। ସେହିପରି ଖୁଣ୍ଟା ଏବଂ ଜି.ବି. ନଗରରେ ୨୧୭.୨ ମି.ମି., ଚିଲିକାରେ ୨୦୭ ମି.ମି., ତିର୍ତୋଲରେ ୨୦୦ ମି.ମି. ବର୍ଷା ହୋଇଥିଲା।

ଏସ୍‌ଆରସି ଶ୍ରୀ ସେଠୀଙ୍କ ସୂଚନା ଅନୁଯାୟୀ ୨୦୧୫ ଜୁନ୍‌ ୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତିରେ ଦିନକରେ ୧୨୪.୫ ମି.ମି.ରୁ ଅଧିକ ବର୍ଷା ହୋଇଥିଲେ ଏହାକୁ ପ୍ରବଳ ବର୍ଷା ଭାବେ ଧରାଯିବ। ବର୍ଷା ବିତ୍ପାତ ଫଳରେ ସଂପୃକ୍ତ ବ୍ଲକରେ ହୋଇଥିବା କୃଷି, ଗୃହ ଏବଂ ଅନ୍ୟାନ୍ୟ କ୍ଷୟକ୍ଷତି ସଂପର୍କରେ ଆକଳନ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଏସ୍‌ଡିଆରଏଫ୍‌ରୁ କ୍ଷତିପୂରଣ ପ୍ରଦାନ କରାଯିବ। ଏହି ବିଜ୍ଞପ୍ତି ଅନୁସାରେ ୮ଟି ଜିଲ୍ଲାର ୨୫ଟି ବ୍ଲକରେ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତିି। ସ୍କ୍ଵାଡ୍‌ ଜରିଆରେ ଆସନ୍ତା ୩୦ ତାରିଖ ସୁଦ୍ଧା ଆକଳନ କାର୍ଯ୍ୟ କରିବାକୁ ସେମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର