ଭଞ୍ଜନଗରରେ ଲଘୁଚାପ ଫଳରେ ଲଗାଣ ବର୍ଷା: ସୋରଡ଼ା ଜଳଭଣ୍ଡାର ଫୁଲ୍,ଆସିକାରେ ସର୍ବାଧିକ ବର୍ଷା ରେକର୍ଡ

ଭଞ୍ଜନଗର: ଉତ୍ତର କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଆଜି ଉତ୍ତର ଆନ୍ଧ୍ର ପ୍ରଦେଶର କାକିନଡା ଉପକୂଳ ସ୍ଥଳ ଭାଗରେ ଛୁଇଁଥିବା ଫଳରେ ଆଜି ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ ଆଜି ସକାଳୁ ହିଁ ପାଗ ମେଘୁଆ ରହିବା ସହ କୋହଲା ପବନ ହେଉଥିଲା। ମଧ୍ୟାହ୍ନ ସମୟରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ସ୍ଥିତି ବେହାଲ ହେବାକୁ ବସିଛି। ଏହାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଗୋଟିଏ ପଟେ ବର୍ଷା ଜାରି ରହିଥିବା ବେଳେ ସେପଟେ ନଦୀ ଓ ଜଳଭଣ୍ଡାରରେ ଜଳସ୍ତର ମଧ୍ୟ ଧିରେ ଧିରେ ବୃଦ୍ଧି ପାଉଛି। ସେଥିରେ ଭଞ୍ଜନଗର ଉପଖଣ୍ଡର ବଡନଦୀ, ଲୋହରାଖଣ୍ଡି, ବାଘୁଆ, ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କିଛି ସମୟ ବ୍ୟବଧାନରେ ବର୍ଷା ଅନବରତ ଲାଗି ରହିଥିବାରୁ ରାସ୍ତାଘାଟ ଓ ବିଭିନ୍ନ ସାହିରେ ପାଣି ଅଟକି କ୍ଷୁଦ୍ର ପୋଖରୀ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ଭଞ୍ଜନଗର ଉପଖଣ୍ଡ ଅଧିନ ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଆସିକାରେ ସର୍ବାଧିକ ୧୫୦ ମିମି. ବର୍ଷା ରେର୍କଡ କରାଯାଇଛି। ଭଞ୍ଜନଗର ଓ ବୁଗୁଡ଼ାରେ ଅପେକ୍ଷାକୃତ କମ୍ ବର୍ଷା ହୋଇଥିବା ବେଳେ ଧରାକୋଟ ଜାନିଭିଲି ଠାରେ ୫୭ ମିମି.ସୋରଡ଼ା ଠାରେ ୩୯ ମିମି.ଖଣ୍ଡରାବଳୀ ଠାରେ ୨୦ ମିମି.ବର୍ଷା ଓ ମାଧବରିଡା ନିକଟରେ ୧୯ ମିମି. ରେର୍କଡ଼ କରାଯାଇଛି। ସେହିପରି ବଡନଦୀ ଗ୍ୟାଲେରି ନିକଟରେ ବିପଦ ସଙ୍କେତ ୧୦୨.୧୧ ମିଟର ରହିଥିବା ବେଳେ ୧୦୧.୧୩ ମିଟରରେ ପହଞ୍ଚିଛି। ସେହିପରି ନୂଆଗାଁ ନିକଟରେ ବିପଦ ସଙ୍କେତ ୭୦.୯୩ ମିଟର ରହିଥିବା ବେଳେ ଏଠାରେ ୬୮.୧୩ ମିଟର ରହିଛି, ମାଧବରିଡା ଠାରେ ବିପଦ ସଂକେତ ୬୦.୬୬ ମିଟର ରହିଥିବା ବେଳେ ବର୍ତ୍ତମାନ ୫୮.୪୩ ମିଟର ରହିଛି। ସେହିପରି ଲୋହରାଖଣ୍ଡି ନଦୀ ଭଞ୍ଜନଗର ଠାରେ ବିପଦ ସଂକେତ ୭୨.୩୧ ମିଟର ରହିଥିବା ବେଧଳେ ୬୮.୮୫ ମିଟର ରହିଛି। ପଦ୍ମା ନଦୀ ସୋରଡା ଠାରେ ବିପଦ ସଂକେତ ୯୪.୬୦ ମିଟର ରହିଥିବା ବେଳେ ୯୨.୦୭ ମିଟର ଦେଇ ଜଳ ପ୍ରବାହିତ ହେଉଛି। ସେହିପରି ଋଷିକୂଲ୍ୟା ନଦୀର ସୋରଡା ଠାରେ ୮୧.୯୯ ମିଟର ରହିଥିବା ବେଳେ ୮୧.୫୩ ମିଟର, ଋଷିକୂଲ୍ୟା ନଦୀର ଆସିକା ଠାରେ ୩୪.୭୫ ମିଟର ରହିଥିବା ବେଳେ ୩୩.୯୭ ମିଟର ଜାନିବାଲି ଠାରେ ବିପଦ ସିଂକେତ ୫୩.୧୯ ମିଟର ରହିଥିବା ବେଳେ ଅଧିକା ମାତ୍ରାରେ ବିପଦ ସଂଙ୍କେରତ ଉପରେ ୫୩.୩୭ ମିଟରେ ଜଳ ପ୍ରଭାହିତ ହେଉଛି।

ଅନ୍ୟ ପକ୍ଷରେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ସୋରଡ଼ା ଜଳ ଭଣ୍ଡାର ସଂପୂର୍ଣ୍ଣ ଭତ୍ତି ହୋଇ ଯାଇଛି। ଆଗକୁ ବର୍ଷା ଜାରି ରହିଥିବାରୁ ଯେଉଁ ପରିମାଣର ବର୍ଷା ଜଳ ପ୍ରବେଶ କରୁଛି ତାକୁ ଯୁଦ୍ଧ କାଳୀନ ଭିତ୍ତିରେ ନିଷ୍କାସନ କରାଯାଉଛି। ସୋରଡ଼ା ଜଳଭଣ୍ଡାରର ଜଳଧାରଣ କ୍ଷମତା ୪୯୭୫ ହେକ୍ଟ ମିଟର ରହିଥିବା ଜଳଭଣ୍ଡାର ଶତ ପ୍ରତିଶତ ପୂର୍ଣ୍ଣ ହୋଇ ରହିଛି। ଏହି ଜଳଭଣ୍ଡାରରେ ୬.୨୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଏହାକୁ କେନାଲ୍ ସହ ସ୍ପିଲ୍ ୱେର ଦ୍ବାରା ଅଧିକା ପାଣି ନିଷ୍କାସନ କରାଯାଉଛି। ଏଥିସହ ଭଞ୍ଜନଗର ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୫୭୬୮.୦୦ ହେକ୍ଟ ମିଟର ରହିଥିବା ବେଳେ ଏବେ ୪୭୪୪.୨୩ ହେକ୍ଟ ମିଟର ଜଳ ରହିଛି। ଜଳ ଭଣ୍ଡାରରେ ପାଣି ଭରି ହେଉ ଥିବାରୁ ବର୍ଷାଜଳକୁ ନିୟନ୍ତ୍ରଣ କରିବା ପାଇଁ ଆସୁଥିବା ପାଣିକୁ ନିଷ୍କାସନ କରି ଦିଆଯାଉଛି। ଏଠାରେ ୨.୮୩ କ୍ୟୁସେକ୍ ଜଳଭଣ୍ଡାରେ ପ୍ରବେଶ କରୁଥିବା ବେଳ କେନାଲରେ ସେହି ପରିମାଣର ୨.୮୩ ଜଳ ନିଷ୍କାସିତ କରାଯାଉଛି। ଡହ ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୧୯୫ ହେକ୍ଟ ମିଟର ରହିଥିବା ବେଳେ ବର୍ତ୍ତମାନ ୧୮୫୫ ହେକ୍ଟ ମିଟର ରହିଛି ଏବଂ ୮.୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ବାମ କେନାଲରେ ୧.୧୭ କ୍ୟୁସେକ୍ ଓ ଡାହାଣ କେନାଲରେ ୬.୦୭ କ୍ୟୁସେକ୍ ଜଳ ନିଷ୍କାତିତ ହେଉଛି। ସେହିପରି ବାଘୁଆ ଜଳଭଣ୍ଡାର କ୍ଷମତା ୩୧୦୦ ହେକ୍ଟ ମିଟର ରହିଥିବା ବେଳେ ୧୫୨୬ ହେକ୍ଟ ମିଟର ଜଳ ରହଛି। ଏହି ଜଳ ଭଣ୍ଡାରର ସ୍ଥିତି ଚିନ୍ତା ଜନକ ନଥିବା ବେଳେ ବର୍ଷା ଯୋଗୁ ୯.୮୪ କ୍ୟୁସେକ୍ ଜଳ ପ୍ରବେଶ କରୁଛି। କେନାଲରେ ୦.୧୨ କ୍ୟୁସେହକ୍ ଜଳ ନିଷ୍କାସିତ ହେଉଛି।

ସମ୍ବନ୍ଧିତ ଖବର