ଭଞ୍ଜନଗର : ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ସହର ଓ ଉପକଣ୍ଠ ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜମି ଗୁଡ଼ିକରେ ଏବେ ବର୍ଷାଜଳ ଲହଡ଼ି ମାରୁଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି। କିଛି ସ୍ଥାନରେ ନାଳ ଉଛୁଳି ପାଣି ରାସ୍ତାରେ ଭାସୁଛି। ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଲୋହରାଖଣ୍ଡି ଓ ବଡ଼ନଦୀରେ ବନ୍ୟାଜଳ ଦୁଇ କୂଳ ଲାଗି ପ୍ରବାହିତ ହେଉଛି। ଆଗକୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

Advertisment

ଭଞ୍ଜନଗର ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଆଜି ଭଞ୍ଜନଗର ଠାରେ ଗତକାଲି ରାତି ୯ଟାରୁ ଅପରାହ୍‌ଣ ୩ଟା ଭିତରେ ୧୧୧ ମିମି ବର୍ଷା‌ ରେକର୍ଡ଼ ହୋଇଛି। ସେହିପରି ସୋରିଷମୂଳି ଆନିକଟରେ ୫୦ ମିମି, ମାଧବରିଡ଼ାରେ ୭୯ ମିମି, ଖଣ୍ଡରାବଳିରେ ୧୦୬ ମିମି, ଜାନିବିଲିରେ ୧୦୮ ମିମି, ସୋରଡ଼ା ପଦ୍ମାନଦୀରେ ୧୬୦ ମିମି, ଆସିକା ଋଷିକୁଲ୍ୟା ନଦୀରେ ୧୨୭ ମିମି, ଡହ ଡ୍ୟାମ୍‌ରେ ୪୯ ମିମି, ଓ ବାଘୁଆ ଡ୍ୟାମ୍‌ରେ ୨୫ ମିମି ବର୍ଷା ହୋଇଥିବା ଜଣାପଡ଼ିଛି।  ଆଜି ଦିନତମାମ୍‌ ବର୍ଷା ଲାଗି ରହିଥିବା ବେଳେ ସହରର ବାଗ୍‌ଦେବୀ ରୋଡ଼, ଖାଲାସାହି ଏବଂ ଷ୍ଟେଟ୍‌ବ୍ୟାଙ୍କ୍‌ ଛକରେ ବର୍ଷାଜଳ ରାସ୍ତା ଉପରେ ଜମି ରହିଥିବା ଦେଖିବାକୁ ମିଳିଥିଲା। ବର୍ଷା ଜାରି ରହିଥିବାରୁ ଧାନ ତଳି ସହ ପରିବାଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇ ନଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।