ଗଜପତିରେ ଲଗାଣ ବର୍ଷା: ପାହାଡ଼ ଧସିଲା, ୧୮ ଗାଁର ୮୯୦ ଜଣଙ୍କୁ ସ୍ଥାନାନ୍ତର

ପାରଳାଖେମୁଣ୍ଡି: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ‌ରେ ଦକ୍ଷିଣଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ଗତ ରବିବାର ରାତିଠାରୁ ଲଗାଣ ବର୍ଷା ଜାରି ରହିଥିବାବେଳେ ଗଜପତି ଜିଲ୍ଲାରେ ପୁଣି ପାହାଡ଼ ଧସିଯାଇଛି। ଗୁମ୍ମା ବ୍ଲକ୍‌ ତରଂଗଡ଼ା ପଞ୍ଚାୟତର ତାମୁସିଂ ଗ୍ରାମରେ ପାହାଡ଼ରୁ ଅତଡ଼ା ଖ‌ସିଛି। ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ଘଟି ନଥିବା ଜଣାପଡ଼ିଛି। ଗ୍ରାମର ଉପର ମୁଣ୍ଡରେ ପାହାଡ଼ ରହିଥିବା ବେଳେ ଅତଡ଼ା ଖସିବା ଦେଖି ପାହାଡ଼ ପାଦଦେଶରେ ରହୁଥିବା କିଛି ପରିବାର ଘର ଛାଡ଼ି ସ୍ଥାନୀୟ ଏକ ଚର୍ଚ୍ଚରେ ଯାଇ ଆଶ୍ରୟ ନେଇଥିବା ସୂଚନା ଦେଇଛନ୍ତି ସେଠାକାର ବାସିନ୍ଦା। ଗ୍ରାମର ଲୋକେ ବର୍ତ୍ତମାନ ଭୟଭୀତ ହୋଇ ପଡ଼ିଛନ୍ତି। ଖବର ପାଇ ସୁଦ୍ଧା କୌଣସି ସରକାରୀ ଅଧିକାରୀ ଏଠାରେ ପହଞ୍ଚି ନାହାନ୍ତି ବୋଲି ସ୍ଥାନୀୟ ଯୁବକ ଏପ୍ରିୟମ କହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଶେଷ କରି ପାହାଡ଼ ତଳ ଗ୍ରାମରେ ବସବାସ କରୁଥିବା ପରିବାରଙ୍କ ପ୍ରତି ବିପଦ ଦେଖା ଦେଇଛି। ଗଜପତି ଜିଲ୍ଲା ପ୍ରଶାସନର ସୂଚନା ମୁତାବକ, ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ମୋଟ ୮୦୦ ମିମି ବର୍ଷା ରେକର୍ଡ଼ ହୋଇଛି। ମୋହନା ବ୍ଲକ୍‌ରେ ସର୍ବାଧିକ ୧୪୦ ମିମି ବର୍ଷା ହୋଇଛି। ପାଣିପାଗ ବିଭାଗର ସତର୍କବାଣୀ ଏବଂ ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ ସହ ସମସ୍ତ ବିଡିଓ ଓ ତହସିଲଦାର ସତର୍କ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ପାହାଡ଼ ତଳିଆ ବିପଦପୂର୍ଣ ସ୍ଥାନରେ ବସବାସ କରୁଥିବା ଜିଲ୍ଲାର ୪ଟି ବ୍ଲକ୍‌ର ୧୮ଟି ଗ୍ରାମର ପ୍ରାୟ ୮୯୦ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଆଜି ମଧ୍ୟାହ୍ନରେ ଲଗାତାର ବର୍ଷା ଯୋଗୁଁ କିଛି ଘରର କାନ୍ଥ ଭୁଶୁଡ଼ି ଯାଇଥିଲା। ତେବେ କୌଣସି ସାଧାରଣ ଧନଜୀବନ କ୍ଷୟକ୍ଷତି ହୋଇନଥିବା ବେଳେ ଗୃହପାଳିତ ପଶୁ ମଧ୍ୟ ସୁରକ୍ଷିତ ଅଛନ୍ତି। ଗୁମ୍ମା ବ୍ଲକ୍‌ ବଡ଼ କଳାକୋଟ ପଞ୍ଚାୟତର କୁଲୁଙ୍ଗ ଗ୍ରାମର ଲୋକଙ୍କୁ ନିକଟସ୍ଥ ଏକ ଚର୍ଚ୍ଚରେ ଥଇଥାନ କରାଯାଇଛି। ଚମ୍ପାନିଗୁଡ଼ା ଗ୍ରାମବାସୀଙ୍କୁ ନିକଟସ୍ଥ କେ.ସୀତାପୁର ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଆଜି ରାତିରେ ସେମାନଙ୍କ ଲାଗି ରନ୍ଧାଖାଦ୍ୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ସେଭଳି ରା.ଉଦୟଗିରି ବ୍ଲକ୍‌ ଅନଘା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପରିବାରଙ୍କୁ ଭୂୟାଁପଡ଼ା ପ୍ରାଥମିକ ବିଦ୍ୟାଳୟରେ ଥଇଥାନ କରାଯାଇଛି। ଆଜି ଗଜପତି ଅତିରିକ୍ତ ଜିଲ୍ଲାପାଳ ପରିଦର୍ଶନ କରି ସେମାନଙ୍କୁ ଖାଦ୍ୟ ଓ ରିଲିଫ୍‌ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସେହିପରି ଗୁମ୍ମା, କାଶୀନଗର, ରାୟଗଡ଼ ଏବଂ ରା.ଉଦୟଗିରି ବ୍ଳକ୍‌ରେ ପାହାଡ଼ିଆ ଅଞ୍ଚଳରେ ବସବାସ କରିଥିବା ଗ୍ରାମବାସୀମାନଙ୍କୁ ନିକଟସ୍ଥ ବିଦ୍ୟାଳୟ, ଗୀର୍ଜାଘର, ଏବଂ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣାଯିବା ସହ ସେମାନଙ୍କର ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। କାଶୀନଗର ଏବଂ ଗୋସାଣୀ ବ୍ଲକ୍‌ରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଗ୍ରାମବାସୀଙ୍କୁ ପଲିଥିନ୍‌ ବଣ୍ଟନ କରାଯାଇଛି। ବର୍ଷା ଯୋଗୁଁ ପାରଳାଖେମୁଣ୍ଡିର ବିଭିନ୍ନ ୱାର୍ଡ଼ରେ ରାସ୍ତା ଉପରେ ପାଣି ଚାଲୁଥିବା ନଜର ଆସିଛି। ୱାର୍ଡ଼ ନମ୍ବର ୧୫ ଏବଂ ୭ରେ ତଳୁଆ ଅଞ୍ଚଳରେ ଅନେକ ଗୃହ ଜଳବନ୍ଦୀ ହୋଇପଡ଼ିଛି। ଏହି ଅଞ୍ଚଳବାସୀଙ୍କର କ୍ଷୋଭ, ଅଧିକ ବର୍ଷା ହେବା ମାତ୍ରେ ସେମାନେ ଜଳବନ୍ଦୀ ହେବା ସହ ଦୁଇ ତିନି ଦିନ ପର୍ଯ୍ୟନ୍ତ ବାହାରକୁ ବାହାରି ପାରୁନାହାନ୍ତି।

ଉଲ୍ଲେଖଯୋଗ୍ୟ ‌ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ଅଧିକ ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ୍‌, ଶ୍ରୀକାକୁଲମ ଜିଲାରେ ଦେଖିବାକୁ ମିଳିଛି। ପଡ଼ୋଶୀ ପୁରୁଣାପାଟଣା ଏବଂ ମେଳିଆପୁଟି ମଣ୍ଡଳରେ ଅନେକ ଗ୍ରାମରେ ମହେନ୍ଦ୍ରତନୟା ନଦୀର ଜଳ ପ୍ରବେଶ କରିଥିବା ବେଳେ ପୁରୁପାଟଣା ଟେକାଲି ରାସ୍ତା ଜଳମଗ୍ନ ହୋଇଛି। ମିଳିଥିବା ସୂଚନା ଅନୁସାରେ ବର୍ଷାର ପ୍ରଭାବକୁ ଆଖି ଆଗରେ ରଖି ଶ୍ରୀକାକୁଲମ ଜିଲାପାଳ ମହେନ୍ଦ୍ରତନୟା ନଦୀ ତଟରେ ଥିବା ମଣ୍ଡଳଗୁଡ଼ିକରେ ସ୍ଵତନ୍ତ୍ର ନୋଡାଲ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର