ଦିନକରେ ଅସମ୍ଭାଳ : କଳାହାଣ୍ଡିରେ ସର୍ବାଧିକ ବର୍ଷା, ୧୨ ଜିଲ୍ଲାର ୩୧ ବ୍ଲକ ସ୍ଥିତି ସଙ୍ଗିନ୍‌, ଆହୁରି ୨୪ ଘଣ୍ଟା ବର୍ଷା

ଭୁବନେଶ୍ୱର : ମୌସୁମୀ ଦୁର୍ବଳ ହେବା କାରଣରୁ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ୪୬% ବର୍ଷା କମିଯାଇଥିଲା। ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ହେଲେ ଗୋଟିଏ ଦିନର ବର୍ଷାରେ କିନ୍ତୁ ସ୍ଥିତି ଅସମ୍ଭାଳ କରିଦେଲାଣି। ଭୁବନେଶ୍ୱର, କଟକ, ଖୋର୍ଧା, ପୁରୀ, କଳାହାଣ୍ଡି ସବୁଆଡ଼େ ପାଖାପାଖି ସମାନ ଅବସ୍ଥା। କେଉଁଠି ଡାକ୍ତରଖାନାରେ ପାଣି ପଶିଗଲା, ଆଉ କେଉଁ ଗାଁରେ ଲୋକେ ଜଳବନ୍ଦୀ।

ରାଜ୍ୟ ସରକାରଙ୍କୁ କିନ୍ତୁ ଏ ସ୍ଥିତି ବିଚଳିତ କରିପାରିନାହିଁ। ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ କହିଛନ୍ତି, ସବୁ ଠିକ୍‌ ଅଛି। ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତିର ଆଶଙ୍କା ନାହିଁ। ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ଗ୍ରାମାଞ୍ଚଳରେ ଥିବା କିଛି ଛୋଟ ଛୋଟ ନାଳ ଫୁଲିଥିଲା। ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ରାସ୍ତା, ଦୁର୍ବଳ ପୋଲ ଭୁଶୁଡ଼ି ପଡ଼ିଛି। କଲ୍ୟାଣସିଂହପୁରରେ ବର୍ଷା ଯୋଗୁ ସାମାନ୍ୟ କ୍ଷତି ହୋଇଛି। ସମସ୍ତଙ୍କୁ ସତର୍କ କରାଯାଇଛି ଓ ପରିସ୍ଥିତି ଉପରେ ନଜର ରଖାଯାଇଛି।

ପ୍ରଶ୍ନ ଉଠୁଛି, ଯଦି ସାମାନ୍ୟ ବର୍ଷାରେ ଘରେ ପାଣି ପଶିଗଲାଣି, ଛୋଟ ଛୋଟ ନଦୀରେ ଜଳ ଉଛୁଳି ଚାଷୀର ଶହ ଶହ ଏକର ଜମି ବୁଡ଼ାଇ ଦେଲାଣି, ତେବେ ନଦୀରେ ବଡ଼ ବନ୍ୟା ଆସିଲେ ସ୍ଥିତି କ’ଣ ହେବ? ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରୀସ୍ତରରେ ଏମିତି ପ୍ରସ୍ତୁତି ହୋଇଥିଲା?

ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ, ରାଜ୍ୟର ୧୨ଟି ଜିଲ୍ଲାରେ ବଡ଼ ବର୍ଷା ହୋଇଛି। ଗତକାଲି ଓ ଆଜିକୁ ମିଶାଇଲେ, କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୨୦୪.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ଭବାନୀପାଟଣାରେ ରାଜ୍ୟର ସର୍ବାଧିକ ବର୍ଷା ଅର୍ଥାତ୍‌ ୨୯୭ ମିମି, ଥୁଆମୁଳ ରାମପୁରରେ ୨୫୨ ମିମି, ନର୍ଲାରେ ୨୪୫.୫ମିମି, କୋକସରାରେ ୨୪୮ମିମି, କଲମପୁରରେ ୨୩୦.୩ ମିମି ବର୍ଷା ହୋଇଛି। ଆଜି ଏହାକୁ ମିଶାଇ ରାଜ୍ୟର ୩୧ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଥିବା ଜଣାପଡିଛି।

ଗୋଟିଏ ସମୟରେ ବଂଶଧାରା ରାୟଗ଼ଡାର ଗୁଣପୁର ଓ ଗଜପତିର କାଶୀନଗରରେ ବିପଦ ସଙ୍କେତ ଅତିକ୍ରମ କରିଥିଲା। ନାଗାବଳୀ ସମେତ ଉଦନ୍ତୀ, ତେଲ୍‌ ନଦୀ ବି ଫୁଲିବାରେ ଲାଗିଛି। କଳାହାଣ୍ଡି ଜିଲ୍ଲାର ୫ରୁ ଅଧିକ ଗାଁ ବାହ୍ୟ ଜଗତକୁ ବିଚ୍ଛିନ୍ନ ହୋଇ ରହିଛି।

ବଙ୍ଗୋପସାଗର ଆଜି କୂଳ ଲଂଘିଛି। କେନ୍ଦ୍ରାପ଼ଡା ରାଜନଗରରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି ସାତଭାୟାର ସୁରକ୍ଷା କବଚ ଲୁଣାଘେରି ବନ୍ଧକୁ ଭସାଇ ନେଇଛି। ସାତଭାୟା ନିକଟରେ ଭେଡ଼ା ମଧ୍ୟକୁ ଜୁଆର ପାଣି ପ୍ରବେଶ କରିଛି। ଭଂଜନଗର ଉପଖଣ୍ଡ ଦେଇ ପ୍ରବାହିତ ବଡ଼ନଦୀ, ଲେହରାଖଣ୍ଡି, ବାଘୁଆ ଓ ଋଷିକୁଲ୍ୟା ନଦୀର ଜଳସ୍ତର ବଢିବାରେ ଲାଗିଛି। ସେଭଳି ସୋରଡା ନିକଟରେ ମଧ୍ୟ ଋଷିକୂଲ୍ୟା ଓ ବଡନଦୀର ଜଳସ୍ତର ବି ବଢ଼ିଛି। ବଡ଼ ନଦୀରେ ଅଧିକା ପାଣି ଆସିବା ଫଳରେ ଗାଲେରି ଯିବାକୁ ନିର୍ମିତ ଅସ୍ଥାୟୀ ବ୍ରିଜ୍‌ ଧୋଇ ହୋଇଯାଇଛି।

ସରକାରୀ ତଥ୍ୟ ଅନୁସାରେ, କଳାହାଣ୍ଡି ଜିଲ୍ଲାରେ ଗତକାଲି ଠାରୁ ଆଜି ମଧ୍ୟରେ ସର୍ବାଧିକ ୨୦୪ ମିମି ବର୍ଷା ହୋଇଥିବା ଜଣାପଡିଛି। ପୁରୀରେ ୧୯୧.୩ମିମି , ରାୟଗ଼ଡାରେ ୧୫୫.୨ମିମି, ଗଞ୍ଜାମରେ ୧୩୩.୩ ମିମି, ଜଗତସିଂହପୁରରେ ୧୧୭ମିମି, ନୂଆପ଼ଡାରେ ୧୧୫.୯ମିମି, ଖୋର୍ଧାରେ ୧୧୫.୫ମିମି, ବଲାଙ୍ଗୀରରେ ୧୦୫.୬ମିମି, ବରଗଡ଼ରେ ୮୪ମିମି, ଗଜପତିରେ ୭୫.୩ମିମି, ନବରଙ୍ଗପୁରରେ ୭୦.୩ମିମି, ନୟାଗଡରେ ୬୮.୬ମିମି ବର୍ଷା ହୋଇଛି।

ଏଠାରେ ପ୍ରକାଶଥାଉକି, ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୧୭ ତାରିଖରେ ସାରା ଓଡ଼ିଶାରେ ବର୍ଷା ହେବ। ପୁରୀ, ଖୋର୍ଧା, ନୟାଗଡ଼ ସମେତ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ସମ୍ବଲପୁର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିବ। ୧୮ ତାରିଖ ବେଳକୁ ବର୍ଷା ପରିମାଣ ଟିକିଏ କମିବ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାପରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବ। ଜୁଲାଇ ୨୦ ପରେ ପୁଣିଥରେ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର