ରାଜ୍ୟରେ ଜାରି ରହିଛି ବର୍ଷା, ୨୪ ଘଣ୍ଟାରେ ଅବପାତ ରୂପ ନେବ ଲଘୁଚାପ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବ‌ା ବେଳେ ସୋମବାର ଦିନ ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଭୀଷଣରୁ ଅତିଭୀଷଣ ବର୍ଷା ହୋଇଛି। ଏଥିସହ ଖୋର୍ଧା, ପୁରୀ, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ‌କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବା ବେ‌ଳେ ବନ୍ୟା ଆଶଙ୍କା ମଧ୍ୟ ରହିଛି। ଆସନ୍ତା ୧୦ ତାରିଖ ଯାଏ ରାଜ୍ୟବାସୀଙ୍କୁ ବର୍ଷାରୁ ନିସ୍ତାର ନାହିଁ। ଅନ୍ୟପ‌‌ଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ଥରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଯାଇଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଏଣୁ ବର୍ଷାଜନିତ ସମସ୍ତ ପ୍ରକାର ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ଗତକାଲି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟ ଆଜି ମଧ୍ୟ ସେହି ସ୍ଥାନରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ ଓ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ। ଏହାର ପ୍ରଭାବରେ ଆଜି ବରଗଡ଼, ଅନୁଗୁଳ, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ ଭୀଷଣରୁ ଅତିଭୀଷଣ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୪ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଫଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ କିଛି ଅଞ୍ଚଳରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ଆଶଙ୍କା କରାଯାଉଛି। ଏଥିସହ ଚାଷ ଜମିରେ ପାଣି ଜମି ରହି ଫସଲ ନଷ୍ଟ ‌ହେବା ସହ ଭୁସ୍ଖଳନ, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଆଦି ସମସ୍ୟା ଦେଖା ଦେଇପାରେ। ଏଣୁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହ ଆବଶ୍ୟକ ପ୍ରସ୍ତୁତି ସାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହି ୪ ଜିଲ୍ଲା ସହ ରାଜ୍ୟର ସୋନପୁର, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ବି ଭ‌ାରି ବର୍ଷାର ସମ୍ଭାବନ‌ା ରହିଛି। ୧୦ ତାରିଖ ଦିନ ଜଗତସିଂହପୁର, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏଥିସହ ସୋନପୁର, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୧ ତାରିଖ ଦିନ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସମ୍ବନ୍ଧିତ ଖବର