ଭୁବନେଶ୍ବର : ପୂର୍ବ ଆକଳନ ଅନୁଯାୟୀ ବୁଧବାର ଦିନ ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏ ବ୍ୟାପିଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୯ ତାରିଖରୁ ରାଜ୍ୟରେ ବିସ୍ତୃତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି ଯେ ପୂର୍ବକେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ସହ ଜଡ଼ିତ ମେଘ ସମୂହ ଓଡିଶା ମୁହାଁ ହୋଇ ଗତି କରୁଛି। ପ୍ରଭାବରେ ୫ ଦିନ ଯାଏ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ୯ ତାରିଖ ସକାଳ ସୁଦ୍ଧା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାବ୍ୟବତୀତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେପ୍ଟେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ପୁରୀ, ଖୋର୍ଧା, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅତିପ୍ରବଳ ବର୍ଷା ପ୍ରଭାବରେ ଉକ୍ତ ଜିଲ୍ଲାଗୁଡ଼ିକରେ ପାହାଡ଼ ଧସିବା ସହ ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିବା ପରି ସମସ୍ୟା ଉପୁଜିପାରେ। ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୯୮୪.୯ ମିମି ବର୍ଷା ହେବା କଥା। ମାତ୍ର ଚଳିତ ମୌସୁମୀ ଋତୁରେ ଏବେ ସୁଦ୍ଧା ୧୦୧୧.୧ ମିମି ବର୍ଷା ରେକର୍ଡ କରାଯାଇଛି। ଭଦ୍ରକରେ ନିଅଣ୍ଟିଆ ରହିଥିବା ବେଳେ ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ ଓ କୋରାପୁଟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ୨୫ଟି ଜିଲ୍ଲାରେ ମୌସୁମୀ ବର୍ଷା ସ୍ବାଭାବିକ ରହିଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।
କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦ୍ବାରା ଆସନ୍ତା ତିନି ଦିନ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ୨୦ରୁ ୩୦ ମିମି ବର୍ଷା ହେବା ଯୋଗୁଁ ଚାଷ କାମ ଆଗେଇ ନେବା ପାଇଁ ମାଟି ବତର ରହିବ। ଯଦିଓ ଲଘୁଚାପ ଉତ୍ତର-ଆନ୍ଧ୍ର ଉପକୂଳ ବା ସଂଲଗ୍ନ ଓଡ଼ିଶା ଦକ୍ଷିଣ ଉପକୂଳ ସ୍ପର୍ଶ କରିବ ମାତ୍ର ଦକ୍ଷିଣ ଓ ପୂର୍ବରେ ବର୍ଷା ଯୋଗୁଁ ରାଜ୍ୟରେ କମ୍ ବର୍ଷା ହେବ। ସଅଳ ଲଗାଯାଇଥିବା ଧାନ ବର୍ତ୍ତମାନ ଥୋଡ଼ ସଞ୍ଚାର ଅବସ୍ଥାରେ ରହିଥିବା ବେଳେ ଡେରିରେ ଲଗାଯାଇଥିବା ଧାନରେ ପିଲ ବାହାରୁଛି। ଉଭୟ ଅବସ୍ଥାରେ ଜବକ୍ଷାରଜାନ ସାରର ଅଧିକ ଆବଶ୍ୟକତା ରହିଥାଏ। ତେଣୁ ଏକର ପିଛା ୧୮ରୁ ୨୨ କେଜି ୟୁରିଆ ସାର ପ୍ରୟୋଗ କରନ୍ତୁ। ୧୧ ତାରିଖ ପରେ ବର୍ଷା କମିବାର ସମ୍ଭାବନା ରହିଛି। ପ୍ରାକ୍ ରବି ଫସଲ ଯଥା ଅଳସି, ରାସି, ମୁଗ, ବିରି ଲଗାନ୍ତୁ। ଶୀତ ଦିନିଆ କୋବି, ଟମାଟୋ ଆଦି ତଳି ଉଚ୍ଚା ଜମିରେ ପକାଇବାକୁ ସେ ପରାମର୍ଶ ଦେଇଛନ୍ତି।