ଭୁବନେଶ୍ବର: ଆଜି ସକାଳ ୮ଟା ୩୦ ବେଳକୁ ଭବାନୀପାଟଣା ତାପମାତ୍ରା ୩୮ ଡିଗ୍ରି ଛୁଇଁଥିଲା। ଝାରସୁଗୁଡ଼ା ଓ ସୋନପୁରରେ ୩୭.୪, ବଲାଙ୍ଗୀରରେ ୩୬.୪, ହୀରାକୁଦରେ ୩୬.୨, ସମ୍ବଲପୁର ୩୬ ଡିଗ୍ରିରେ ପହଞ୍ଚିବା ସହ ଆକାଶରୁ ନିଆଁ ବର୍ଷୁଥିଲା। ଯୁଆଡ଼େ ଚାହିଁଲେ ସୂର୍ଯ୍ୟ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିଲା। ଲାଗୁଥିଲା ସତେ ଯେମିତି ଆଜି ସବୁ ରେକର୍ଡ ଭାଙ୍ଗିଯିବ। କିଛି ସମୟ ମଧ୍ୟରେ ତାହା ହିଁ ହେଲା। ପୂର୍ବାହ୍ନ ୧୧ଟା ୩୦ ବେଳକୁ ଓଡ଼ିଶାର ତାତି ସବୁ ରେକର୍ଡ ଭାଙ୍ଗିଥିଲା। ଝାରସୁଗୁଡା ତାପମାତ୍ରା ୪୨.୫ ଡିଗ୍ରିରେ ପହଞ୍ଚିଥିବା ବେଳେ ସମ୍ବଲପୁରରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୦.୮, କେନ୍ଦୁଝର ସହରର ତାପମାତ୍ରା ୪୦.୫ ଡିଗ୍ରି ଛୁଇଁଥିଲା। ଉପକୂଳ ଓଡ଼ିଶାରେ ତାପମାତ୍ରା ଟିକିଏ କମ୍ ରହିଥିଲେ ମଧ୍ୟ ଆଶ୍ବସ୍ତି ମିଳି ନ ଥିଲା। ତାପମାତ୍ରା ସିନା କମ୍ ଥିଲା ମାତ୍ର ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ଶୀତତାପ ନିୟନ୍ତ୍ରିତ କୋଠରୀରୁ କେହି ବାହାରିବାକୁ ଇଚ୍ଛା କରି ନ ଥିଲେ। ଯିଏ ବି ବାହାରୁଥିଲେ ଆବଶ୍ୟକ ପଦକ୍ଷେପ ନେଇଥିଲେ। ତା’ସତ୍ତ୍ବେ ମଧ୍ୟ ଗୁଳୁଗୁଳିରେ ଆଉଟୁପାଉଟୁ ହୋଇଥିଲେ।
ଅପରାହ୍ଣ ବେଳକୁ ସୋନପୁର, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା, ବରଗଡ ଓ କନ୍ଧମାଳ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ ୪ଟି ସହରର ତାପମାତ୍ରା ୪୬ ଡିଗ୍ରିରେ ପହଞ୍ଚିଥିଲା। ୧୦ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୬.୩ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ସୋନପୁରରେ ୪୬.୨, ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ୪୬, ସମ୍ବଲପୁରରେ ୪୫.୬, ବୌଦ୍ଧରେ ୪୫.୩, ହୀରାକୁଦରେ ୪୫.୧, ଭବାନୀପାଟଣାରେ ୪୪.୫, ନୂଆପଡ଼ା ଓ ବରଗଡ଼ରେ ୪୪ ଡିଗ୍ରି ଲେଖାଏଁ ରହିଥିଲା। ଫୁଲବାଣୀ, ସୁନ୍ଦରଗଡ଼, ତାଳଚେର, ମାଲକାନଗିରି, ଅନୁଗୁଳ, ପାରଳାଖେମୁଣ୍ଡି, ରାୟଗଡ଼ା, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା, ନବରଙ୍ଗପୁର ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିବା ଜଣାପଡ଼ିଛି।
୪୬ଂ ଉପରେ ୪ ସହର, ବଲାଙ୍ଗୀରରେ ୪୬.୩ଂ
ରାତିରେ ୩୦ ଡିଗ୍ରି ଉପରେ ୧୦ ସହର ତାପମାତ୍ରା
ଆହୁରି ଦୁଇ ଦିନ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉଷ୍ମ ରାତି
ଆଜି କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ
ଦିନରେ ଆକାଶରୁ ହେଉଥିବା ନିଆଁ ବର୍ଷା ଆହୁରି ଦୁଇ ଦିନ ଜାରି ରହିବ। ୩୦ ଓ ୩୧ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୩ରୁ ୪୫ ଡିଗ୍ରି ଏବଂ ଉପକୂଳ ଓଡ଼ିଶାରେ ୩୬ରୁ ୪୦ ଡିଗ୍ରି ମଧ୍ୟରେ ରହିବ। ପ୍ରଚଣ୍ଡ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ। ଉପକୂଳ ଓଡ଼ିଶାରେ ୪୦ରୁ ୬୦% ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୫ରୁ ୫୦% ମଧ୍ୟରେ ରହିବ। ବୌଦ୍ଧ, ସୋନପୁର, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ଗ୍ରୀଷ୍ମ ପ୍ରବାହରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି ଓ ଅନୁଗୁଳରେ ଗ୍ରୀଷ୍ମ ପ୍ରବାହ ସହ ରାତି ତାପମାତ୍ରା ଅସହ୍ୟ ହେବ। ମଙ୍ଗଳବାର ରାତିରେ ୧୦ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ଥିଲା। ରାଜ୍ୟର ୨୫ସହରରେ ୨୮ ଡିଗ୍ରି କିମ୍ବା ଅଧିକ ରେକର୍ଡ କରାଯାଇଛି। ବଲାଙ୍ଗୀରରେ ସ୍ୱାଭାବିକଠାରୁ ୬.୯ ଡିଗ୍ରି ଅଧିକ ସହ ଭୀଷଣ ଉଷ୍ମରାତ୍ରି ଅନୁଭୂତ ହୋଇଥିବା ବେଳେ ହୀରାକୁଦ, ସମ୍ବଲପୁର ଓ ଟିଟିଲାଗଡରେ ଉଷ୍ମରାତି ହୋଇଛି। ଆଗାମୀ ଦୁଇ ଦିନ ମଧ୍ୟ ଏଭଳି ସ୍ଥିତି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଲାଗିରହିବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଏସ୍ଆରସିଙ୍କ ପକ୍ଷରୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାକୁ ପାଗ ଅନୁକୂଳ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରାଯାଇଛି।