ଜୟପୁର: ରାଜସ୍ଥାନ ସହରରେ ପ୍ରବଳ ବର୍ଷା ଯୋଗୁଁ ଜୟପୁରର ଏକ ଆବାସିକ କୋଠାର ଜଳମଗ୍ନ ବେସମେଣ୍ଟରେ ଫସି ରହିଥିବା ୩ ଜଣଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ବିଶ୍ୱକର୍ମା ଅଞ୍ଚଳରେ ଥିବା ଏକ ଆବାସିକ ଆପାର୍ଟମେଣ୍ଟର ବେସମେଣ୍ଟରେ ପାଣି ଜମି ଯିବାରୁ ୪ ଜଣ ନିଖୋଜ ହୋଇଯାଇଥିଲେ। ବେସମେଣ୍ଟରେ ପ୍ରାୟ ୧୨ ଫୁଟ ପାଣି ଭର୍ତ୍ତି ହୋଇଥିବା ବେଳେ ପ୍ରାୟ ୧୩ ଜଣ ଲୋକ ତା’ ଭିତରେ ଫସି ଯାଇଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଏସ୍‌ଡିଆର୍‌ଏଫ୍‌ ଟିମ୍ ଡକାଯାଇ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନେ ନିଖୋଜ ଥିଲେ ବୋଲି ଚୋମୁ ସହରର ଡିଏସ୍‌ପି ଅଶୋକ ଚୌହାନ କହିଛନ୍ତି। ଦୀର୍ଘ ୮ ଘଣ୍ଟାର ଖୋଜାଖୋଜି ପରେ ଏସ୍‌ଡିଆର୍‌ଏଫ୍‌ ଟିମ୍ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Advertisment

ବାଗରୁ ଅଞ୍ଚଳରେ ଡ୍ରେନ୍ ଜଳରେ ଭାସି ଯାଇଥିବା ଅନ୍ୟ ଜଣେ ନାବାଳକଙ୍କୁ ଖୋଜୁଛି ଏସ୍‌ଡିଆର୍‌ଏଫ୍‌ ଟିମ୍। ଜୟପୁର ବିମାନ ବନ୍ଦରର ପ୍ରବେଶ ପଥରେ ପାଣି ଜମି ରହିଥିବା ବେଳେ ସିକର ଓ ଆଜମେର ରାସ୍ତା ଭଳି ପ୍ରମୁଖ ରାସ୍ତାରେ ମଧ୍ୟ ପାଣି ଜମି ରହିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ପାଖାପାଖି ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ମଧ୍ୟ କୋଟାରେ ଏକ ଘାଟିରେ ଓଲଟି ପଡ଼ିଥିଲା। ମୁକୁନ୍ଦ ଟାଇଗର ହିଲ୍ସ ଅଞ୍ଚଳ ନିକଟ ୩୫ ନମ୍ବର ଜାତୀୟ ରାଜପଥରେ ଡ୍ରାଇଭର ଟ୍ରାଫିକ୍ ଏଡ଼ାଇବା ପାଇଁ ସଂକୀର୍ଣ୍ଣ ରାସ୍ତାରେ ଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି।